ପାକିସ୍ତାନରେ ରହିବା ଜେଲରେ ରହିବା ସଙ୍ଗେ ସମାନ, ଭଗବାନଙ୍କୁ ଧନ୍ୟବାଦ ଯେ, ସେଠାରୁ ମୁକୁଳି ଆସିଛି । କାହିଁକି ଏମିତି କହିଲେ ପୂର୍ବତନ କ୍ରିକେଟର ।

534

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନକୁ ନେଇ ସାଇମନ ଏମିତି ଏକ ବୟାନ ଦେଇଛନ୍ତି ଯାହା ପାକିସ୍ତାନର ଅସଲ ସ୍ୱରୂପକୁ ପଦାରେ ପକାଇଛି । ସାଇମନ କହିଛନ୍ତି, ପାକିସ୍ତାନରେ ରହିବା ଜେଲରେ ରହିବା ସଙ୍ଗେ ସମାନ । ଥରେ ଏଠାରେ ଫଶିଥିଲି ଯେ, ଅନେକ ଦିନ ଭୋକ ଉପାସରେ କାଟିବାକୁ ପଡିଥିଲା । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯାହାହେଉ ପାକିସ୍ତାନରୁ ମୁକୁଳିକୁ ଆସିପାରିଛି । ତେବେ ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର କାହିଁକି ଏମିତି କହିଲେ? ପାକିସ୍ତାନ କଣ ସତରେ ଜେଲ ହୋଇଗଲାଣି । ଏଭଳି ଅନେକ ପ୍ରଶ୍ନ କ୍ରିକେଟପ୍ରେମୀଙ୍କ ମନରେ ଉଙ୍କି ମାରିଛି । ସାଇମନ ଡୁଲ ମଧ୍ୟ ଏହା ଉପରୁ ପରଦା ହଟାଇଛନ୍ତି ।

ସାଇମନ ଡୁଲ ଏବେ ଭାଷ୍ୟକାର ଭୂମିକାରେ ନଜର ଆସୁଛନ୍ତି । ଗତ କିଛି ଦିନ ପୂର୍ବେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଷ୍ଟ୍ରାଇକ ରେଟକୁ ନେଇ ସାଇମନ ଆଲୋଚନା କରିଥିଲେ । ଯାହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଅମୀର ସୋହେଲଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ବାବରଙ୍କ ପ୍ରଂଶସକ ସାଇମନଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ଯାହାକୁ ନେଇ ସାଇମନ କହିଛନ୍ତି, ହୋଟେଲ ବାହାରେ ବାବରଙ୍କ ପ୍ରଶଂସକ ଏକାଠି ହୋଇଥିଲେ । ଯେଉଁଥିପାଇଁ ସେ ବାହାରକୁ ବାହାରି ପାରୁନଥିଲେ । ଏପରିକି ତାଙ୍କୁ ବାହାରକୁ ଯିବାକୁ ଅନୁମତି ମଧ୍ୟ ଦିଆଯାଇନଥିଲା । କିଛି ଦିନ ତାଙ୍କୁ ଉପାସରେ ଶୋଇବାକୁ ପଡିଥିଲା । ଏଭଳି ତିକ୍ତ ଅନୁଭୂତିକୁ ନେଇ ସାଇମନ କହିଥିଲେ, ପାକିସ୍ତାନରେ ରହିବା କୌଣସି ଜେଲ ଠାରୁ ମଧ୍ୟ କମ ନୁହେଁ । ଏଠାରେ ମୋତେ ମାନସିକ ଭାବେ ଚାପଗ୍ରସ୍ତ କରାଯାଇଥିଲା । କିନ୍ତୁ ଭଗବାନଙ୍କୁ ଧନ୍ୟବାଦ ଯେ, କୌଣସିମତେ ମୁଁ ପାକିସ୍ତାନରୁ ମୁକୁଳିବାରେ ସଫଳ ହୋଇଥିଲି ।

ସାଇମନଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢିବା ପଛର ବଡ କାରଣ ହେଲା, ଏବେ ନ୍ୟୁଜିଲାଣ୍ଡ ଟିମ୍ ଦିନିକିଆ ଓ ଟି-୨୦ ସିରିଜ ଖେଳିବାକୁ ପାକିସ୍ତାନ ଗସ୍ତରେ ଯାଇଛି । ତେଣୁ ନ୍ୟୁଜିଲାଣ୍ଡ ଟିମକୁ ସେଠାରେ କିଭଳି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ ।

କେବଳ ଏତିକି ନୁହେଁ ବିରାଟ କୋହଲିଙ୍କ ଷ୍ଟ୍ରାଇକ ରେଟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସାଇମନ ଡୁଲ । ଲକ୍ଷେ୍ନø ବିପକ୍ଷରେ ବିରାଟଙ୍କ ଷ୍ଟ୍ରାଇକରେଟକୁ ନେଇ ଆଲୋଚନା କରିଥିଲେ ଡୁଲ । ସାଇମନ କହିଥିଲେ, ବିରାଟ ୪୨ରୁ ୫୦ ରନ କରିବା ଭିତରେ ୧୦ଟି ବଲ ଖେଳିଥିଲେ । ଆଇପିଏଲ ଭଳି ଫର୍ମାଟରେ ନିଜର ରେକର୍ଡ ପାଇଁ ଏଭଳି ଇନିଂସ ଖେଳିବା ଆଦୌ ଗ୍ରହଣୀୟ ନୁହେଁ । ସାଇମନଙ୍କ ଏହି କମେଣ୍ଟକୁ ନେଇ ସଲମାନ ବଟ୍ଟ କହିଛନ୍ତି, ବିରାଟ କୋହଲି ଜୀବନରେ ବହୁତ କିଛି ଉପଲବ୍ଧି ହାସଲ କରିଛନ୍ତି । ସେ କାହା ପାଖରେ ନିଜକୁ ପ୍ରମାଣିତ କରିବାର ଆବଶ୍ୟକତା ନାହିଁ । କେବଳ ଆଟେନସନ ପାଇଁ ସାଇମନ ଏଭଳି କରିଥାଇପାରନ୍ତି ବୋଲି କହିଛନ୍ତି ବଟ୍ଟ । କିନ୍ତୁ ଏହାଦ୍ୱାରା କ୍ରିକେଟପ୍ରେମୀଙ୍କ ପାଖକୁ ଖରାପ ମେସେଜ ଯାଉଛି ବୋଲି କହିଛନ୍ତି ବଟ୍ଟ ।