ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ;ଭିତରେ ବଣଭୋଜି, ମଦ୍ୟପାନ ଓ ପ୍ଲାଷ୍ଟିକ ବ୍ୟବହାର ନିଷେଧ

358

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ଦୀର୍ଘ ସାଢେ ଚାରି ମାସ ପାଇଁ ବନ୍ଦ ରହିବା ପରେ ଶିମିଳିପାଳ ଅଭୟାରଣ୍ୟକୁ ଖୋଲାଯାଇଛି । ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଇକୋଟୁରିଜିମ୍ ବ୍ୟବସ୍ଥା କରାଯାଇଛି । ଜାତୀୟ ଉଦ୍ୟାନ ବୁଲିବା ପାଇଁ ତାଲିମ ପ୍ରାପ୍ତ ମାର୍ଗଦର୍ଶକ ବି ଅଛନ୍ତି ।

ସବୁଠାରୁ ବଡ କଥା ହେଉଛି ଚଳିତ ବର୍ଷ ଅଭୟାରଣ୍ୟକୁ ପଲିଥିନ୍ ମୁକ୍ତ କରିବାକୁ ଉଦ୍ୟମ କରାଯାଇଛି । ପର୍ଯ୍ୟଟକ ବୁଲିବା ସମୟରେ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବିକ୍ରି ବ୍ୟବସ୍ଥା ବି ହୋଇଛି । ସେହିପରି ଜଙ୍ଗଲଜାତ ସାମଗ୍ରୀ ବି ଏଥର ସୁଲଭ ମୂଲ୍ୟରେ ପାଇପାରିବେ ପର୍ଯ୍ୟଟକ । ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବାର ସମୟ ସକାଳ ୬ଟାରୁ ୯ ଟା ଯାଏଁ ରହିଛି ।

ପ୍ରତିଦିନ ବାରିପଦା ପଟୁ ୨୫ଟି ଓ ଯଶୀପୁର ପଟୁ ୩୫ଟି ଗାଡି ଭିତରକୁ ପ୍ରବେଶ କରିବାକୁ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ । ଶିମିଳିପାଳରେ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀଙ୍କ ସହିତ ସେମାନଙ୍କର ବାସସ୍ଥାନ, ଔଷଧୀୟ ବୃକ୍ଷରାଜି ଏବଂ ଅର୍କିଡ୍ ବଗିଚା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ ।