ଜୁନ୍ ୧୫ରୁ ଶିମିଳିପାଳ ବୁଲିବା ମନା । ବର୍ଷା ଋତୁକୁ ନଜରରେ ରଖି ପର୍ଯ୍ୟଟକଙ୍କ ପାଇଁ ବ୍ୟାଘ୍ର ଅଭୟାରଣ୍ୟ ବନ୍ଦ ରଖିବାକୁ ବନ ବିଭାଗର ନିଷ୍ପତି ।

223

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁରେ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଆସନ୍ତା ଜୁନ୍ ୧୫ ତାରିଖରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶିମିଳିପାଳରେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ସର୍ବାଧିକ ଆୟ ଏକ କୋଟିରୁ ଅଧିକ ହୋଇଛି ।

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବର୍ଷା ଋତୁକୁ ନଜରରେ ରଖି ଆସନ୍ତା ଜୁନ୍ ୧୫ରୁ ନଭେମ୍ବର ୧ ଯାଏଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି ବନ ବିଭାଗ । ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀ, ସରିସୃପ, ବିରଳ ପକ୍ଷୀ ଓ ଜୈବ ବିବିଧତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧୀ ଲାଭ କରିଛି । ଶିମିଳିପାଳର ପ୍ରାକୃତିକ ମନଲୋଭା ଦୃଶ୍ୟ ସାଙ୍ଗକୁ ଅତି ନିକଟରୁ ବନ୍ୟପ୍ରାଣୀଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି । ବର୍ଷକୁ ବର୍ଷ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ଆୟ ମଧ୍ୟ ସର୍ବାଧିକ ହୋଇଛି ।

୧. ୨୦୧୭ ନଭେମ୍ବର ୧ରୁ ୨୦୧୮ଜୁନ୍ ୧୫ ଭିତରେ ୩୩, ୪୦୧ ଜଣ ପର୍ଯ୍ୟଟକ ଶିମିଳିପାଳ ବୁଲି ଦେଖିଥିଲେ ।
୨. ସେମାନଙ୍କ ମଧ୍ୟରେ ୧୧ଜଣ ବିଦେଶୀ ପର୍ଯଟକ ଥିଲେ ।
୩. ୨୦୧୮ ନଭେମ୍ବର ୧ରୁ ୨୦୧୯ ଏପ୍ରିଲ୍ ୧୯ ତାରିଖ ସୁଦ୍ଧା ୨୮, ୮୮୨ ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନ କରିଛନ୍ତି ।
୪. ସେମାନଙ୍କ ମଧ୍ୟରୁ ୩୦ ଜଣ ବିଦେଶୀ ପର୍ଯ୍ୟଟକ ରହିଛନ୍ତି ।

ଶିମିଳିପାଳକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ଗର୍ବର କଥା ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳର ଜାମୁଆଣି, କୁମାରୀ, ଗୁଡୁଗୁଡିଆ ଓ ରାମତୀର୍ଥରେ ଟେଂଟ, ବାମ୍ବୋ କଟେଜ୍, ଆଦିବାସୀ କୁଡିଆ ଓ ମଂଚ୍ଚା ନିର୍ମାଣ କରାଯାଇଛି । ଏଠାରେ ପର୍ଯ୍ୟଟକମାନେ ରହିବା ସହ ସ୍ଥାନୀୟ ଗ୍ରାମବାସୀଙ୍କ ଘରୋଇ ଖାଦ୍ୟ ଖାଇବାର ମଜା ଉଠାଇଥାନ୍ତି । ଏମିତିକି ଗ୍ରାମବାସୀମାନେ ଦେଖିଥିବା ଶିମିଳିପାଳର ଆକର୍ଷଣୀୟ ଜଳ ପ୍ରପାତକୁ ମଧ୍ୟ ବୁଲାଇ ନେଇଥାନ୍ତି । ଯେଉଁ ଜଳ ପ୍ରପାତ ଶିମିଳିପାଳ ଟୁରିଜିମ୍ ମ୍ୟାପରେ ମଧ୍ୟ ନଥାଏ । ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିସୁଥାଇ । ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେତିକି ସୁନ୍ଦର ଶିମିଳିପାଳ ବୁଲିବା ସେତିକି ରୋମାଚଂକର । ଥରେ ଜିଏ ଆସିଛି ସିଏ ଶିମିଳିପାଳ ପ୍ରେମରେ ପଡ଼ିଯାଇଛି ।