ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ । ବର୍ଷା ଓ କୁହୁଡି ଯୋଗୁଁ ବନ୍ଦ ରହିଲା ଜାତୀୟ ଉଦ୍ୟାନ

90

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଆଜି ଜାତୀୟ ଉଦ୍ୟାନ ଶିମିଳିପାଳ ବନ୍ଦ କରାଯାଇଛି । ଶିମିଳିପାଳ ଅଭ୍ୟନ୍ତରୀଣ ଅଂଚଳରେ ପ୍ରବଳ ବର୍ଷା ଓ ଘନ କୁହୁଡି ଯୋଗୁଁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ପାଗ ଶୁଖିଲା ହେଲା ପରେ ଶିମିଳିପାଳ ଖୋଳିବ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବହୁ ପ୍ରତୀକ୍ଷାର ଅନ୍ତ ପରେ ନଭେମ୍ବର ପହିଲାରୁ ଶିମିଳିପାଳ ଖୋଲିଥିଲା । ପ୍ରଥମ ଦିନରେ ଶିମିଳିପାଳର ଅପୂର୍ବ ଶୋଭାରାଜିକୁ ୧୯୩ ପର୍ଯ୍ୟଟକ ଉପଭୋଗ କରିଥିଲେ । ତେବେ, ଚଳିତ ଥର ପର୍ଯ୍ୟଟକଙ୍କ ପାଇଁ ନୂଆ ଧରଣର ବ୍ୟବସ୍ଥା କରାଯାଇଛି । ଉଭୟ ଶିଶୁ ଏବଂ ଆଡଲ୍ଟଙ୍କ ପାଇଁ ଗଛ ଚଢ଼ା(ଟ୍ରି କୋର୍ସ)ର ବ୍ୟବସ୍ଥା କରାଯାଇଛି । ଶିଶୁମାନଙ୍କ ପାଇଁ ପ୍ରାୟ ୪-୬ ଫୁଟ୍ ଉଚ୍ଚାର ଗଛ ଚଢ଼ା ବ୍ୟବସ୍ଥା ହୋଇଥିବାବେଳେ ବୟସ୍କଙ୍କ ପାଇଁ ୧୨ଫୁଟ୍ରୁ ଅଧିକ ଗଛ ଚଢ଼ାର ବ୍ୟବସ୍ଥା ହୋଇଛି। ଗୁଡ଼ୁଗୁଡ଼ିଆରେ ମଧ୍ୟ ଏହି ଟ୍ରି କୋର୍ସର ବ୍ୟବସ୍ଥା ହୋଇଛି ।

ସେହିପରି ଜାମୁଆଣିରେ ରସି ଚଢ଼ାର ବ୍ୟବସ୍ଥା କରାଯାଇଛି । କୁମାରୀରେ କମାଣ୍ଡୋ ଟାୱାର୍ ବ୍ୟବସ୍ଥା ହୋଇଛି । ଯାହାକି ସମସ୍ତ ବର୍ଗଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ରାମତୀର୍ଥ, କୁମାରୀ, ଗୁଡ଼ୁଗୁଡ଼ିଆ, ବରେହିପାଣି ଓ ଜାମୁଆଣିରେ ମାଉଣ୍ଡେନ୍ ସାଇକ୍ଲିଂ ନିମନ୍ତେ ବ୍ୟବସ୍ଥା ହୋଇଛି । ଏଥିନିମନ୍ତେ ୫୦ଟି ସାଇକେଲ୍ କ୍ରୟ କରାଯାଇଛି । ସେହିପରି ସମ୍ପୂର୍ଣ୍ଣ ଶିମିଳିପାଳକୁ ନୋ ପ୍ଲାଷ୍ଟିକ୍ ଏବଂ ନୋ ପଲିଥିନ୍ ଜୋନ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି ।

ପଲିଥିନ୍ ବଦଳରେ ଶାଳପତ୍ରର ବହୁଳ ବ୍ୟବହାର କରାଯିବା ନେଇ ପ୍ରସ୍ତୁତି ହୋଇଛି । ସମସ୍ତ ୫ ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ଶିଶୁମାନଙ୍କ ପାଇଁ ଖେଳିବା ସ୍ଥାନ, ହର୍ଡଲ୍ସ, ପର୍ଯ୍ୟଟକଙ୍କ ପାଇଁ ଟେବୁଲ ଟେନିସ୍, ବ୍ୟାଡମିଣ୍ଟନ୍, କ୍ୟାରମ୍, ଚେସ୍, ଭଲିବଲ୍ ଭଳି ଇଣ୍ଡୋର୍ ଗେମର ବ୍ୟବସ୍ଥା ହୋଇଛି । ରାଜ୍ୟରେ ଶୀତ ବଢୁଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିଲା । କିନ୍ତୁ ବର୍ଷା ଓ କୁହୁଡି ଯୋଗୁଁ ଶିମିଳିପାଳ ବନ୍ଦ କରାଯିବା ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ନିରାଶା ଦେଖିବାକୁ ମିଳିଛି ।