ଜଳୁଛି ଶିମିଳିପାଳ : ଲିଭିବାର ନାଁ ଧରୁନି ; ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ମୟୁରଭଞ୍ଜ ମହାରାଣୀ ଓ ରାଜକୁମାରୀ

199

କନକ ବ୍ୟୁରୋ : ଏବେ ବି ଜଳୁଛି ଶିମିଳିପାଳ । ଲିଭିବାର ନାଁ ଧରୁନି । ନିଆଁକୁ ଆୟତ କରିବାକୁ ନାକେଦମ ହେଲାଣି ବନବିଭାଗ । ବିଭାଗର ହଜାରେରୁ ଅଧିକ କର୍ମଚାରୀ ଓ ୨ ଶହରୁ ଅଧିକ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି । ଗୋଟିଏ ସ୍ଥାନରେ ନିଆଁ ଲିଭିବାବେଳକୁ ଅନ୍ୟ ଜାଗାରେ ନିଆଁ ଲାଗୁଛି । ଏହି ସମୟରେ ଶିମିଳିପାଳ ପାଦଦେଶରେ ଥିବା ବାଙ୍ଗିରିପୋଷି ରେଞ୍ଜ ଅଂଚଳକୁ ଯାଇ ମୟୁୁରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ନିଆଁ ଲିଭାଇ ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ଦେଇଛନ୍ତି । ହାତରେ ଛାଟମୁଠା ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି ମୟୁରଭଞ୍ଜ ମହାରାଣୀ ଓ ରାଜକୁମାରୀ ।

ଏଥି ସହିତ ସ୍ଥାନୀୟ ଜନସାଧାରଣଙ୍କ ସହିତ ନିଆଁ ଲାଗିବାର କାରଣ ସମ୍ବନ୍ଧରେ ଆଲୋଚନା କରି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ଏହି ସମୟରେ ପ୍ରାୟ ୩/୪ ବର୍ଷ ହେବ ବନ ବିଭାଗ କମ୍ୟୁନିଟିକୁ ବିଶ୍ୱାସକୁ ନ ନେବା ଏବଂ ନିଆଁ ନ ଲାଇଗିବା ନିମନ୍ତେ ଅଥବା ନିଆଁକୁ ଲିଭାଇବା ନିମନ୍ତେ କୌଣସି ଯୋଜନା ହାତକୁ ନେଇ ନ ଥିବାକୁ ସ୍ଥାନୀୟ ଜନସାଧାରଣ ଉତ୍ତରଦାୟୀ କରିଛନ୍ତି । ତେବେ ଜଙ୍ଗଲରେ ଏହି ନିଆଁ କ୍ରମଶଃ ଅଣଆୟତ୍ତ ପରିସ୍ଥିତି ଦିଗକୁ ଗତି କରୁଥିବା ବିଷୟକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ପ୍ରକାଶ କହିଛନ୍ତି ।