ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ସମୀକ୍ଷା ବୈଠକ ପରେ ନିଆଁ ନିୟନ୍ତ୍ରଣାଧୀନ ଥିବା କହିଲେ ମୁଖ୍ୟମନ୍ତ୍ରୀ ।

184

କନକ ବ୍ୟୁରୋ: ଶିମିଳିପାଳରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି । ଏଥିସହିତ ନିଆଁ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଥିଲେ , ଯାହାପରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିମିଳିପାଳ କେବଳ ଓଡିଶା ବା ଭାରତର ନୁହେଁ ବରଂ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସଚିବ ମୋନା ଶର୍ମା କହିଛନ୍ତି ଯେ, ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି । ଏଥିରେ କୌଣସି ଜୀବନ ହାନି ଘଟିନାହିଁ ।

ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି  ଏବଂ ବଡ ବଡ ଗଛ ମାନଙ୍କର କିଛି କ୍ଷତି ହୋଇନାହିଁ । ସେହିପରି ଅଗ୍ନିକାଣ୍ଡ  ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପିସିସିଏଫ୍ ଓ୍ୱାଇଲ୍ଡଲାଇଫ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସହିତ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସଚିବ  ୫-ଟି ଭି. କେ. ପାଣ୍ଡିଆନ , ପିସିସିଏଫ୍ ଓ୍ୱାଇଲ୍ଡଲାଇଫ ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।