ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ । ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ।

371

କନକ ବ୍ୟୁରୋ: ଶିମିଳିପାଳ ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ନିଆଁ ଲିଭା ଚାଲିଛି । ରାତିର ଅନ୍ଧାରରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ ଦମକଳ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପାଣି ପକାଉଛନ୍ତି ଆଉ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।

ଅନ୍ୟପଟେ ଶିମିଳିପାଳର ଆଭ୍ୟନ୍ତରୀଣ ଅଂଚଳରୁ ପ୍ରତିଦିନ ନୂଆ ନୂଆ ସ୍ଥାନକୁ ନିଆଁ ବ୍ୟାପୁଛି । ଏବଂ ଜଙ୍ଗଲ ଜଳୁଥିବାର ଚିତ୍ର ସାମନାକୁ ଆସୁଛି । ତେଣୁ ଏହାର ମୁକାବିଲା କରିବା ପାଇଁ ବନ ବିଭାଗ ଆହୁରି ୧୦୦ ଜଣ ଫାୟାର ୱାଚରଙ୍କୁ ନିୟୋଜିତ କରିଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ବନବିଭାଗ ନିଆଁକୁ ଆୟତ କରିବାରେ ବିଳମ୍ବ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କର୍ତୃପକ୍ଷ । ତେବେ ଏହାରି ଭିତରେ ନାସାର ସାଟେଲାଇଟ୍ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଶିମିଳିପାଳ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସେପଟେ କଂଗ୍ରେସର ଏକ ଟିମ ଶିମିଳିପାଳ ପରିଦର୍ଶନ କରି କହିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ମିଛ । ଏବଂ ଶାସକ ବିଜେଡି କହିଛି, ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଶିମିଳିପାଳ ହେଉଛି ସେହି ଅଭୟାରଣ୍ୟ, ଯେଉଁଠି ୧୩ଟି ନଦୀ, ୪ ପ୍ରକାରର ଜଙ୍ଗଲ, ଏକ ହଜାର ୭୬ ପ୍ରଜାତୀର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଏବଂ ୨୩୧ ପ୍ରଜାତୀର ପକ୍ଷୀ ବସବାସ କରନ୍ତି । ଆଉ ଯଦି ଏହି ନିଆଁ ଶିମିଳିପାଳ ଅଭୟାରଣ୍ୟର କୋର୍ ଅଂଚଳକୁ ବ୍ୟାପକ ଭାବେ ମାଡ଼ି ଯାଏ, ତେବେ ଜଳୁଥିବା ଏହି ନିଆଁ କେତେ ବଡ଼ ସଂକଟ ଆଣିପାରେ ।