କନକ ବ୍ୟୁରୋ : ଶିମିଳିପାଳରେ ସ୍ଥିତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍ । ଜାତୀୟ ଉଦ୍ୟାନର ଅଧିକାଂଶ ଅଂଶ ବୁଲି ଦେଖି ଥିଲେ । ଏପରିକି ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି । ଶିମିଳିପାଳ ଜାତୀୟ ଉଦ୍ୟାନର ଅଧିକାଂଶ ଅଂଶ ବୁଲି ଦେଖିଲୁ। ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା ବି କରିଛୁ । ଜଙ୍ଗଲ ନିଆଁ ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ । ବନାଗ୍ନିରେ ବାଘଙ୍କର କୌଣସି କ୍ଷତି ହୋଇନାହିଁ । ଶିମିଳିପାଳ ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜରେ ପହଞ୍ଚିଥିବା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ର ଅନ୍ୟତମ ସଦସ୍ୟ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ର ଏମିତି କିଛି ବୟାନ ରଖିଛନ୍ତି ।
ତେବେ କଣ କ୍ଷତି ହୋଇଛି, କ୍ଷୟକ୍ଷତିର ପରିମାଣ କେତେ, ସେ ସଂପର୍କରେ ମୁହଁ ଖୋଲିନାହିଁ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଗ୍ନିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତକାଲିଠାରୁ ମୟୂରଭଞ୍ଜରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମ୍ର ଦୁଇ ସଦସ୍ୟ ଆଜି ସନ୍ଧ୍ୟାରେ ବାରିପଦାରେ ପହଞ୍ଚିଥିଲେ। କେବଳ ଜାତୀୟ ଉଦ୍ୟାନ ବୁଲିଥିବା ଏବଂ ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରିଥିବା କହି ବାକି ସବୁ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ ।
ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍ଟିସିଏ) ଆଇଜି ଅମିତ ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ର ଗତକାଲି ରାତିରୁ କ୍ଷେତ୍ର ପରିଦର୍ଶନ କରିବା ସହିତ ଶିମିଳିପାଳ ଜାତୀୟ ଉଦ୍ୟାନର ସ୍ଥିତି ଅନୁଧ୍ୟାନ କରିଥିଲେ । ଗୁରୁବାର ସନ୍ଧ୍ୟାରେ ଠାକୁରମୁଣ୍ଡାରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ସହିତ ଆଲୋଚନା କରିଥିଲେ । ଅନ୍ୟ ବରିଷ୍ଠ ଅଧିକାରୀ ଓ ଗୁଡ଼ୁଗୁଡ଼ିଆରେ ଥିବା ସ୍ଥାନୀୟ ଅଧିବାସୀଙ୍କ ସହିତ ବାର୍ତ୍ତାଳାପ କରିବା ପରେ ଟିମ୍ ସଦସ୍ୟ ଦିନତମାମ ଶିମିଳିପାଳ ନର୍ଥ ଡିଭିଜନ୍ର ଜାତୀୟ ଉଦ୍ୟାନ ପାର୍କ, ଜେନାବିଲ, ଭଞ୍ଜବସା, ଅର୍ପ ବାର୍ହାକାମୁଡ଼ା ରେଞ୍ଜ ଗସ୍ତ କରି ବନାଗ୍ନି ସ୍ଥିତି ପରଖିଥିଲେ ।
ମେଘାସିନୀ ପର୍ବତଶୃଙ୍ଗ ଉପରୁ ଶିମିଳିପାଳର ଦୃଶ୍ୟ ଅବଲୋକନ କରିବା ସହ କେଉଁଠି ନିଆଁ ଲାଗିଛି ତାର ନିରୀକ୍ଷଣ କରିଥିଲେ। କେନ୍ଦ୍ରୀୟ ଟିମ୍ ସହିତ ଆରସିସିଏଫ୍ ଯୋଗ ଜୟାନନ୍ଦ, ଏସ୍ଟିଆର ନର୍ଥ ଏବଂ ସାଉଥ୍ ଉପନିର୍ଦ୍ଦେଶକ, କରଞ୍ଜିଆ ଓ ବାରିପଦା ଡିଏଫ୍ଓ ପ୍ରମୁଖ ସାମିଲ ହୋଇଥିଲେ । ଏହି ଟିମ୍ ବାରିପଦାକୁ ଫେରିଛନ୍ତି । ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କଲା ପରେ କେନ୍ଦ୍ରୟ ଟିମ୍ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।