ଶିମିଳିପାଳରେ କେନ୍ଦ୍ରୀୟ ଟିମ୍ : ଆଜି ବୁଲିବେ କୋର ଏରିଆ; ନିଆଁ ଲାଗିବା କାରଣ ଅନୁଧ୍ୟାନ ସହ ନିରାକରଣ ପାଇଁ ପାଂଚିବେ ଉପାୟ

ଏବେ ବି ଡୋକରା, ଭଞ୍ଜବସା, ପୋଡିଡିହାରେ ଜଳୁଛି ଜଙ୍ଗଲ

66

କନକ ବ୍ୟୁରୋ : ଶିମିଳିପାଳରେ ପହଂଚି କେନ୍ଦ୍ରୀୟ ଟିମ ନିଆଁ ଲାଗିବା କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଳ ନିଆଁର ସ୍ଥିତି ପରଖୁଛି । ଗତକାଲି ଶିିମିଳିପାଳର ନିଆଁ ଲାଗିଥିବା କିଛି ଅଂଚଳ ବୁଲି ଦେଖିଥିବା ବେଲେ ଆଜି କୋର ଏରିଆ ଯିବାର କାର୍ଯ୍ୟସୂଚୀ ରହିଛି । କାଲି ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଂଚିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ଅପରାହ୍ନରେ ଶିମିଳିପାଳ ପହଂଚିଥିଲେ । ଏହାପରେ କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାରହାକାମୁଡା ବନାଂଚଳ ବୁଲି ଦେଖିଛନ୍ତି । ଅନ୍ୟପଟେ ପରିବେଶବିତ ଦାବି କରୁଛନ୍ତି ଏବେ ବି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଛି । ଡୁକୁରା, ଭଞ୍ଜବସା, ପୋଡିଡିହାରେ ଏବେ ଜଙ୍ଗଲ ଜଳୁଥିବା କୁହାଯାଉଛି ।

ଅପର ପକ୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଗତକାଲି ରାତିରେ ଶିମିଳିପାଳରେ ପହଞ୍ଚି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଜି ସେ କୋର୍ ଏରିଆ ସମେତ ଏକାଧିକ ବନାଗ୍ନି ପ୍ରଭାବିତ ସ୍ଥାନ ପରିଦର୍ଶନ କରିବେ ।  କିଛି ଦିନ ତଳେ ଯେଉଁ ନିଆଁ ଲାଗିଥିଲା, ତାହା କେବଳ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲାଗିଥିଲା । ତେବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିମିଳିପାଳରେ ଆଉ ନିଆଁ ନଥିବା କହିଥିଲେ ମଧ୍ୟ ଏବେ‌ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦାବି କରିଛନ୍ତି ପରିବେଶବିତ୍‌ । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ, ଏବେ ବି ଡୁକୁରା, ଭଞ୍ଜବସା, ପୋଡ଼ାଡ଼ିହା, ବାର୍ହାକାମୁଡ଼ା ରେଞ୍ଜ୍‌ର କିଛି ସ୍ଥାନରେ ବନାଗ୍ନିର ପ୍ରକୋପ ରହିଛି । ସେହିପରି କୋର୍ ଏରିଆକୁ ନିଆଁ ଆଦୌ ଯାଇନଥିବା ତଥ୍ୟ ସତ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ଗତକାଲି ସନ୍ଧ୍ୟାରେ ମଧ୍ୟ ଦେବକୁଣ୍ଡ ନିକଟସ୍ଥ ଜଙ୍ଗଲରୁ ନିଆଁ ଶିଖା ଉପରକୁ ସ୍ପଷ୍ଟ ଦିଶୁଥିଲା । ତେବେ ବନ ବିଭାଗ ପୂର୍ବରୁ ସ୍ଥାନୀୟ ଅଧିବାସୀଙ୍କ କଥାକୁ କାହିଁକି ବିଶ୍ବାସକୁ ନେଉ ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି। ଯଦି ଏବେ‌ ଶିମିଳିପାଳରେ ନିଆଁ ନାହିଁ, ତାହା ଖୁବ୍‌ ଭଲ କଥା । କିନ୍ତୁ ନିଆଁ ଲାଗିବା ସମୟରେ ଏସ୍‌ଟିଆର୍‌ ଅଧିକାରୀମାନେ କଣ ପାଇଁ ସ୍ଥାନୀୟ ଜନ ପ୍ରତିନିଧି, ଗ୍ରାମବାସୀଙ୍କୁ ସାଥୀରେ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ ନିଆଁ ଲିଭା କାମ ତଦାରଖ କରୁନଥିଲେ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶିମିଳିପାଳ ଅଗ୍ନିକାଣ୍ଡ ପାଇଁ ଦାୟୀ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମାଇତି ଦାବି କରିଛନ୍ତି ।