ଜଙ୍ଗଲର ନିଆଁକୁ ନେଇ ରାଜନୀତିରେ ଧୂଆଁ । ଶାସକ ଦଳକୁ ଘେରିଲେ ଉଭୟ ବିଜେପି ଓ କଂଗ୍ରେସ ।

87

କନକ ବ୍ୟୁରୋ: ଜଙ୍ଗଲର ନିଆଁକୁ ନେଇ ଉଠିଛି ରାଜନୈତିକ ଧୂଆଁ । ଆଉ କୁହଳୁୁଥିବା ଏହି ରାଜନୀତିର ଧୂଆଁ ଦିଲ୍ଲୀ ଦରବାର ଯାଏଁ ପହଂଚି ଯାଇଛି । ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଭେଟିଥିବା ବେଳେ, ବିଜେପିର ଆଭିମୁଖ୍ୟକୁ ରାଜନୀତିର ନାଁ ଦେଇଛି ବିଜେଡି । ଆଉ ଶିମିଳିପାଳର ସୁରକ୍ଷା କଥା କହି ଘନ ଘନ ଟିଟ୍ୱ କରିଛନ୍ତି ବିଜେଡି ନେତା । ଏହାରି ଭିତରେ ରାଜ୍ୟ ସରକାର ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଓଡ଼ିଶାରେ ଜଳୁଥିବା ଜଙ୍ଗଲ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛି ବିଜେପିର ୯ଜଣିଆ ସଂସଦୀୟ ଦଳ । ଘଟଣା ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ଟିମ୍ ପଠାଇବାକୁ ବିଜେପି ନେତାମାନେ ଦାବି କରିଛନ୍ତି । ସେହିପରି କାମ୍ପା ଫଣ୍ଡରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ସାଂସଦ । କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ସାଂସଦ ମାନେ ଭେଟି ଆପତ୍ତି କରିବା ପରେ ଟୁଇଟ କରିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର । ଲେଖିଛନ୍ତି ଶିମିଳିପାଳ ନିଆଁ ଲିଭାଇବାକୁ ଓଡ଼ିଶା ସରକାର ୨୪ ଘଂଟା ଚେଷ୍ଟା କରୁଛନ୍ତି ।

ଏପଟେ ଗୁରୁବାର ଦିନ ମୟୁରଭଞ୍ଜ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ବିଜେଡି ସଂଗଠନ ସଂପାଦକ । ଶିମିଳିପାଳର ସୁରକ୍ଷା ପାଇଁ ରାଜ୍ୟ ସରକାର ଏବଂ ବିଜୁ ଜନତା ଦଳର ଯୁବ, ମହିଳା ଓ ଛାତ୍ର ନିଆଁ ଲିଭାଇବାରେ ଦିନରାତି କାମ କରୁଥିବା କହିଛନ୍ତି ପ୍ରଣବ ପ୍ରକାଶ ଦାସ । କେବଳ ସେତିକି ନୁହେଁ ବିଜେଡି ସେଭ୍ ଶିମିଳିପାଳ ହେଜ୍ଟ୍ୟାକ୍ ନାଁରେ ଦଳ ପକ୍ଷରୁ ଏକ ବଡ଼ ଅଭିଯାନ ଚଳାଯାଇଛି । ହେଲେ ଏସବୁ ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୟୁରଭଞ୍ଜ ସାଂସଦ ।

ରାଜନୀତିର ବୟାନବାଜି ଭିତରେ ଆସିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କରଙ୍କ ଟୁଇଟ୍ । ବିଜେପି ପ୍ରତିନିଧି ଦଳ ତାଙ୍କୁ ଭେଟିବା ସମୟର ଫଟୋ ପୋଷ୍ଟ କରି, ଖୁବ୍ ଶିଘ୍ର ଏକ ବିଶେଷଜ୍ଞ ଦଳ ଓଡ଼ିଶା ଯାଇ ପରାମର୍ଶ ଓ ସହାୟତା ଯୋଗାଇଦେବେ ବୋଲି ସୂଚନା ଦେଇଛନ୍ତି ।