ସିମ୍ କାର୍ଡ କିଣିବା ନିୟମ ଉପରେ ବଡ ପରିବର୍ତ୍ତନ । ଏହି ବୟସର ଲୋକଙ୍କୁ ମିଳିବ ନାହିଁ ସିମ୍ କାର୍ଡ

310

କନକ ବ୍ୟୁରୋ : ଆପଣ ସିମ୍ କାର୍ଡ କିଣିବାକୁ ଚାହୁଁଥିଲେ ଆପଣ ନିଶ୍ଚିତ ଏହି ଖବର ଉପରେ ନଜର ରଖନ୍ତୁ । ଭାରତୀୟ ଦୂର ସଂଚାର ବିଭାଗ ସିମ୍ କାର୍ଡ କିଣିବା ଉପରେ ଥିବା ପୁରୁଣା ନିୟମର ପରିବର୍ତ୍ତନ କରିଛନ୍ତି । ଦୂରସଂଚାର ବିଭାଗ (ଡିଓଟି) କହିଛନ୍ତି କି ଦେଶରେ କୌଣସି ନାବାଳକ କିମ୍ବା ନାବାଳିକାଙ୍କୁ ନେଟୱର୍କ କମ୍ପାନୀମାନେ ସିମ୍ କାର୍ଡ ବିକ୍ରି କରିପାରିବେ ନାହିଁ । ଅର୍ଥାତ ୧୮ ବର୍ଷରୁ କୌଣସି ବି ବ୍ୟକ୍ତି ଦେଶର କୌଣସି ଟେଲିକମ୍ ଅପରେଟରଙ୍କ ଠାରୁ ସିମ୍ କାର୍ଡ କିଣିପାରିବେ ନାହିଁ । ଦୂର ସଂଚାର ବିଭାଗ କହିଛି କୌଣସି ଟେଲିକମ ଅପରେଟର ନାବାଳକ/ନାବାଳିକାଙ୍କୁ ସିମ୍ କାର୍ଡ ବିକ୍ରି କରିବା ଅର୍ଥ ଦୂରସଂଚାର ଆଇନ ଉଲଙ୍ଘନ କରିବା ।
ନୂଆ ସିମ୍ କିଣିବା ବେଳେ ଗ୍ରାହକଙ୍କୁ ଏକ କଷ୍ଟମର ଅଧିଗ୍ରହଣ ଫର୍ମ (ସିଏଏଫ) ପୁରଣ କରିବାକୁ ପଡିବ । ଏହା ସାଧାରଣତ ଟେଲିକମ କମ୍ପାନୀ ଓ ଗ୍ରାହକଙ୍କ ମଧ୍ୟରେ ଏକ ବୁଝାମଣା । ଏବେ ଏହି ଫର୍ମରେ ସଂଶୋଧନ କରାଯାଇଛି । ଏବେ ସିମ୍ କାର୍ଡ କିଣିବାକୁ ହେଲେ ବ୍ୟକ୍ତିଙ୍କର ବୟସ ସର୍ବନିମ୍ନ ୧୮ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଏହାସହ ମାନସିକ ବିକାରଗସ୍ତ ଲୋକଙ୍କୁ ସିମ୍ କାର୍ଡ ବିକ୍ରି କରିପାରିବେ ନାହିଁ ଟେଲିକମ୍ କମ୍ପାନୀମାନେ ।
ଅନ୍ୟପଟେ ପୂର୍ବରୁ ଜଣେ ବ୍ୟକ୍ତି ନିଜ ନାମରେ ମନଇଚ୍ଛା ସିମ୍ କାର୍ଡ କିଣିପାରୁଥିବା ବେଳେ ଏବେ ନୂଆ ନିୟମ ମୁତାବକ ଜଣେ ବ୍ୟକ୍ତି ନିଜ ନାମରେ ସର୍ବାଧିକ ୯ ଟି ସିମ୍ କାର୍ଡ କିଣିପାରିବ । ହେଲେ ଜଣେ ବ୍ୟକ୍ତି ବି ନିଜ ନାମରେ ୧୮ ଟି ସିମ୍ କାର୍ଡ କିଣିପାରିବ ମାତ୍ର ସେଥିମଧ୍ୟରୁ ସେ ୯ ଟି ମୋବାଇଲରେ ଓ ଅନ୍ୟ ୯ ଟି ମେସିନ-ମେସିନରେ ବ୍ୟବହାର କରିପାରିବ ।

ନୂଆ ନିୟମ ମୁତାବକ ଏବେ ଜଣେ ସିମ୍ କାର୍ଡ ନେବା ପାଇଁ ଫିଜିକାଲ ସ୍ଥାନରେ ଡିଜିଟାଲ କେୱାଇସି ଦେବାକୁ ହେବ । ଏଥିରେ ଗ୍ରାହକଙ୍କୁ କିଛି ବି ପ୍ରମାଣପତ୍ର ଦେବାକୁ ପଡିବ ନାହିଁ । ଏହାସହ ପୋଷ୍ଟପେଡ୍ ସିମ୍ କୁ ପ୍ରିପେଡରେ ବଦଳାଇବାକୁ ବି କିଛି ପ୍ରମାଣ ଦେବାକୁ ହେବ ନାହିଁ । ନେଟୱର୍କ ପ୍ରୋଭାଇଡର କମ୍ପାନୀ ଆପ୍ ମାଧ୍ୟମରେ ଗ୍ରାହକ ନିଜେ କେୱାଇସି ଭରି ପାରିବ । ଏଥିପାଇଁ ଗ୍ରାହକଙ୍କୁ ମାତ୍ର ୧ ଟଙ୍କା ଦେୟ ଦେବାକୁ ହେବ ।