ସାବଧାନ୍ ! ଆପଣଙ୍କ ନିକଟକୁ ବି ଆସିପାରେ ଏହି ନମ୍ବରରୁ ଫୋନ୍ କଲ୍, ଉଠାଇବା ମାତ୍ରକେ ମୋବାଇଲରୁ ଚାଲିଯାଉଛି ନେଟୱର୍କ ଆଉ ଧଡାଧଡ୍ ବ୍ୟାଙ୍କରୁ ଆପ୍ରୁଭ୍ ହୋଇଯାଉଛି ଲୋନ୍ ! ନମ୍ବର କି ଆକାଉଂଟ ବ୍ଲକ୍ କଲେ ବି ଖାତାରୁ ଗାଏବ ହୋଇଯାଉଛି ଟଙ୍କା

5,874

କନକ ବ୍ୟୁରୋ: ମହାମାରୀ କାଳରେ ବି ମାତିଛନ୍ତି ଲୁଟେରା । କେତେବେଳେ ଏଟିଏମ ଅପଡେଟ୍ ତ ପୁଣି କେତେବେଳେ ଆଧାର ଲିଙ୍କ କରାଇଦେବା ନାଁରେ ଲୋକଙ୍କୁ ଲୁଟୁଛନ୍ତି ଠକ । ଡିଜିଟାଲାଇଜେସନ କ୍ଷେତ୍ରରେ ଦେଶ ଆଗକୁ ବଢି ଚାଲିଛି ସତ ହେଲେ ସାଇବର ଅପରାଧ କିନ୍ତୁ ଥମିବାର ନାଁ ନେଉ ନାହିଁ । ତେବେ ଦେଶବ୍ୟାପୀ ବର୍ତ୍ତମାନ କରୋନା ସଂକଟ ଜାରି ରହିଥିବା ବେଳେ ବି ନିଜ ମନ୍ଦ ପ୍ରବୃତିରୁ ମୁହଁ ଫେରାଇନାହାନ୍ତି ଏଭଳି କିଛି ଅସମାଜିକ ଯୁବକ । ମହାମାରୀ ସଂକଟ ଭିତରେ ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲା ପରେ ଆପଣଙ୍କ ପାଦ ତଳୁ ବି ମାଟି ଖସିଯିବ ।

ଦିଲ୍ଲାର ଜଣେ ମହିଳାଙ୍କ ନିକଟକୁ ସିମ କାର୍ଡକୁ ୩ଜିରୁ ୪ଜି ଅପଗ୍ରେଡ୍ କରାଇଦେବା ନାଁରେ ଏକ ଫୋନ କଲ୍ ଆସିଥିଲା । ଆଉ ଏହି ଚକ୍କରରେ ମହିଳାଙ୍କ ଖାତାରୁ ୧୨ ଲକ୍ଷ ଟଙ୍କା ଲୁଟିନେଇଥିଲେ ଦୁବୃର୍ତ୍ତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଟଙ୍କା ବ୍ୟାଙ୍କରୁ ଲୋନ ଜରିଆରେ ହିଁ ଚଳୁକରିନେଇଥିଲା ଠକ । ତେବେ ବଡ କଥା ହେଉଛି ଏସଂକ୍ରାନ୍ତ ମହିଳା ଜଣକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ ବି କୌଣସି ଲାଭ ମିଳିନଥିଲା ବରଂ ବ୍ୟାଙ୍କ କିସ୍ତି ଭରିବାକୁ କହିଥିଲା । ଏପଟେ, ଘଟଣାର ତଦନ୍ତ କରିବା ବଦଳରେ କେବଳ ଏକ ରିପୋର୍ଟଟିଏ ଲେଖି ଦେଇ ହାତ ଯୋଡି ବସିଯାଇଛି ପୋଲିସ୍ ।

ତେବେ ମହିଳାଙ୍କ ଅଭିଯୋଗ ଅନୁସାରେ, ସିମ ଅପଗ୍ରେଡ୍ କରାଇଦେବା ନାଁରେ ତାଙ୍କ ନିକଟକୁ ଏକ ଫୋନ କଲ୍ ଆସିଥିଲା । ଏହାପରେ ହଠାତ୍ ତାଙ୍କ ମୋବାଇଲର ନେଟଓର୍କ ଚାଲିଯାଇଥିଲା । ତେଣୁ ସେ ବ୍ୟସ୍ତ ହୋଇ ସିମ ବ୍ଲକ୍ କରିବାକୁ କଷ୍ଟମର କେୟାକୁ ଫୋନ କରିଥିଲେ ମାତ୍ର ଉକ୍ତ ନମ୍ବରଟି ତାଙ୍କର ନୁହେଁ ବୋଲି କଷ୍ଟମର କେୟାର ପକ୍ଷରୁ କୁହାଯାଇଥିଲା । ତେବେ କିଛି ସମୟ ପରେ ଇଂଟରନେଟ ବ୍ୟାଙ୍କିଂ ପାସଓାର୍ଡ ଚେଂଜିଂ ନେଇ ଏକ ମେସେଜ ତାଙ୍କ ପାଖକୁ ଆସିଥିଲା । ଏନେଇ ମହିଳା ଜଣକ ବ୍ୟାଙ୍କ ସହ ଯୋଗାଯୋଗ ମଧ୍ୟ କରିଥିଲେ କିନ୍ତୁ ସେତେବେଳକୁ ବହୁତ ଡେରୀ ହୋଇଯାଇଥିଲା । କାରଣ ଦୁବୃତ୍ତ ଜଣକ ମହିଳାଙ୍କ ନାଁରେ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କାର ପର୍ସନାଲ ଲୋନ ଅନଲାଇନରେ ଉଠାଇନେଇଥିଲେ । ବଡ କଥା ହେଉଛି ବ୍ୟାଙ୍କ ମଧ୍ୟ ବିନା କୌଣସି ଭେରିଫିକେସନରେ ସଂପୃକ୍ତ ବ୍ୟକ୍ତିଙ୍କୁ ଲୋନ ଆପ୍ରୁଭ୍ କରାଇଦେଇଥିବା ନେଇ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଏନେଇ ସେ ପୁଲିସରେ କମ୍ପେ୍ଲନ ମଧ୍ୟ କରିଥିଲେ ତେବେ ଘଟଣାକୁ ଇତି ମଧ୍ୟରେ ୨ ମାସ ବିତି ଯାଇଥିଲେ ସୁଦ୍ଧା ନା ପୋଲିସ୍ କିଛି କରିପାରୁଛି ନା ବ୍ୟାଙ୍କ ।