କନକବ୍ୟୁରୋ : ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳି ଭାବରେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିଛନ୍ତି । ଅଲିମ୍ପିକ୍ସ ଜାଭଲିନ୍ ଫାଇନାଲ କିନ୍ତୁ ଭାରତ-ପାକିସ୍ତାନ ଲଢେଇ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପାକିସ୍ତାନର ଅର୍ଶଦ୍ ନଦୀମ୍ ଅଲିମ୍ପିକ୍ ରେକର୍ଡ ୯୨.୯୭ ମିଟର ଜାଭଲିନ୍ ଫିଙ୍ଗି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି । ଗୁରୁବାର ତୀବ୍ର ପ୍ରତିନ୍ଦ୍ୱିତାପୂର୍ଣ୍ଣ ଜାଭଲିନ୍ ଇଭେଣ୍ଚରେ ନୀରଜ ତାଙ୍କ ପ୍ରଥମ ପ୍ରୟାସ ଫାଉଲ୍ ମାରି ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ । ଦ୍ୱିତୀୟ ପ୍ରୟାସରେ ନୀରଜ କିନ୍ତୁ ୮୯.୪୫ ମିଟର ଜାଭଲିନ୍ ଫିଙ୍ଗି ଦ୍ୱିତୀୟ ସ୍ଥାନକୁ ଲମ୍ଫ ମାରିଥିଲେ ।

Advertisment

ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ଜିତିବାର ସବୁଠୁ ବଡ଼ ଦାବିଦାର ରହିଥିଲେ ନୀରଜ । ଯୋଗ୍ୟତା ପର୍ୟ୍ୟାୟରେ ନୀରଜ ଏକ ନମ୍ବର ସ୍ଥାନରେ ଥିବା ବେଳେ ନୀରଜଙ୍କ ଆଗରେ କଣ୍ଟା ସାଜିଥିଲେ ପାକିସ୍ତାନ ପ୍ରତିଦ୍ବନ୍ଦୀ ଅର୍ଶଦ୍ ନଦୀମ୍ । ସେପଟ ନୀରଜ ଚୋପ୍ରା ରୌପ୍ୟ ପଦକ ହାସଲ କରିବା ପରେ ଏକ୍ସ ମାଧ୍ୟମରେ ଶୁଭେଚ୍ଛା ଜଣାଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେପଟେ  ପ୍ୟାରିସ ଅଲିମ୍ପିକ୍ସରେ ଭାରତର ତାରକା ମହିଳା କୁସ୍ତିଯୋଦ୍ଧାଙ୍କ ଆବେଦନ ଉପରେ ଆଜି ହବ ଶୁଣାଣି। ଅପରାହ୍ଣ ସାଢ଼େ ଗୋଟାଏରେ ଭିନେଶଙ୍କ ଆବେଦନ ଉପରେ ଶୁଣାଣୀ ହେବ। ତାଙ୍କୁ ଅଯୋଗ୍ୟ ଘୋଷଣା କରାଇ ଦିଆଯିବା ପରେ କୋର୍ଟ ଅଫ ଆବ୍ରିଟ୍ରେସନ୍ ବା ସିଏଏସ୍ ଫର ସ୍ପୋର୍ଟ୍ସରେ ସେ ରୋପ୍ୟ ପଦକ ପାଇଁ ଆବେଦନ କରିଥିଲେ। ଶୁଣାଣି ପାଇଁ କୋର୍ଟ ଭିନେଶଙ୍କ ପକ୍ଷ ରଖିବାକୁ ଓକିଲ ସ୍ଥିର କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି।

ଭିନେଶଙ୍କ ଆବେଦନ ଉପରେ ପ୍ରଥମେ ଗୁରୁବାର ଶୁଣାଣି ହେବା ନେଇ ସ୍ଥିର ହୋଇଥିଲା। ତାଙ୍କ ପକ୍ଷ ରଖିବାକୁ ସିଏଏସ୍ ୪ଜଣ ନିଶୁଳ୍କ ଓକିଲଙ୍କୁ ନିଯୁକ୍ତି ଦେଇଥିଲେ। ମାତ୍ର ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ ଜଣେ ଭାରତୀୟ ଓକିଲଙ୍କୁ ନିଯୁକ୍ତି ଦେବା ପାଇଁ ସମୟ ମାଗିଥିଲା। ଫଳରେ ଗୁରୁବାର ପରିବର୍ତ୍ତେ ଶୁକ୍ରବାର ଶୁଣାଣି କରିବାକୁ କୋର୍ଟ ଅଫ ଆବ୍ରିଟ୍ରେସନ୍ ନିର୍ଦ୍ଦେଶ ଦେଇଥିଲେ। ଫାଇନାଲରେ ପ୍ରବେଶ କରିବା ପରେ ଓଜନ ବୃଦ୍ଧି କାରଣରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଅଲିମ୍ପିକ୍ସ ଆସୋସିଏସନ୍। ଏହାପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି ଭିନେଶ୍।

--