ପାରାଲିମ୍ପିକ୍ସର ଅଜଣାକଥା: ଜିଲ୍ଲାପାଳ ଏବେ ରୌପ୍ୟ ବିଜେତା

369

କନକ ବ୍ୟୁରୋ: ଶରୀରରୁ ସିନା ଦିବ୍ୟାଙ୍ଗ ହେଲେ ଆତ୍ମବିଶ୍ୱାସ ତାଙ୍କର ବେଶ ଦୃଢ । ସେଥିପାଇଁ ତ ଜଣେ ଆଇଏଏସ ଅଫିସର ହୋଇ ମଧ୍ୟ ଖେଳୁଛନ୍ତି ବ୍ୟାଡମିଣ୍ଟନ । ଆଉ ବ୍ୟାଡମିଣ୍ଟନ ଖେଳି ସାରା ଦେଶ ପାଇଁ ଏବେ ଗୌରବ ଆଣିଛନ୍ତି ନୋଏଡା ଜିଲ୍ଲାପାଳ ସୁହାସ ଏଲୱାଇ । ତାଙ୍କ ଦୃଢ ଆତ୍ମବିଶ୍ୱାସ ହିଁ ତାଙ୍କୁ ଆଜି ଏହି ସଫଳତା ଦେଇଛି । ଗୋଟିଏ ପଟେ ଲୋକଙ୍କ ସେବା କରୁଥିଲା ବେଳେ ଆଉ ଗୋଟିଏ ପଟେ ପାରା ଅଲିମ୍ପିକ୍ସରେ ସ୍ଥାନ ପାଇ ଦେଶ ପାଇଁ ଗୌରବ ଆଣିଛନ୍ତି ଆଇଏଏସ ଅଫିସର ସୁହାସ ଏଲୱାଇ ।

ଦେଶର ପ୍ରଥମ ଆଇଏଏସ ଅଫିସର ଭାବେ ପାରାଅଲିମ୍ପିକ୍ସରେ ସ୍ଥାନ ପାଇଥିଲେ ସୁହାସ । ଆଉ ଏବେ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତି ଟୋକିଓରେ ଦେଶର ଟେକ ରଖିଛନ୍ତି । ସେ ଫାଇନାଲରେ ଫ୍ରାନ୍ସ ପ୍ରତିଯୋଗୀ ଲୁକାର ମଜୁରଙ୍କଠାରୁ ୧୫-୨୧, ୨୧-୧୭, ୨୧-୧୫ରେ ହାରିଯାଇଥିଲେ ବି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି ।

୨୦୦୭ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ସୁହାସ । ଏହାସହ ସେ ଦେଶର ଜଣେ ପ୍ରମୁଖ ପାରାବ୍ୟାଡମିଣ୍ଟନ ଖେଳାଳି ମଧ୍ୟ । ବର୍ତ୍ତମାନ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ଜିଲ୍ଲାପାଳ ଭାବେ କାର୍ୟ୍ୟରତ ଅଛନ୍ତି ସୁହାସ । ଏହାରି ଭିତରେ ସେ ସମୟ ବାହାର କରି ବ୍ୟାଡମିଣ୍ଟନ ଅଭ୍ୟାସ କରନ୍ତି ।

କର୍ଣ୍ଣାଟକର ଛୋଟିଆ ସହର ସିଗୋମାରେ ଜନ୍ମଗ୍ରହଣ କରିଥିଲେ ସୁହାସ । ଜନ୍ମରୁ ତାଙ୍କର ଗୋଟିଏ ଗୋଡ ଖରାପ । ହେଲେ ପିଲାବେଳୁ ଖେଳ ପ୍ରତି ସେ ବେଶ ରୁଚି ରଖୁଥିଲେ । ଆଉ ନିଜେ ଖେଳ ଜାରି ରଖୁଥିଲେ । ଏହାରି ଭିତରେ ସେ ଆଇଏଏସ ହେବାର ସ୍ୱପ୍ନ ବି ଦେଖୁଥିଲେ । ତାଙ୍କର ଏଭଳି ସ୍ୱପ୍ନକୁ ପରିବାର ଲୋକ ବେଶ ସହଯୋଗ କରୁଥିଲେ । ଆଉ କେବେ ବି ତାଙ୍କୁ ହାରିବାକୁ ଦେଉନଥିଲେ । ସେଥିପାଇଁ ତ ସେ ସଫଳତାର ସିଡି ଚଢି ଚାଲିଥିଲେ ସୁହାସ ।

ସୁହାସ ନିଜର ପାଠ ପଢା କ୍ୟାରିୟର ଗାଁ ସ୍କୁଲରୁ ଆରମ୍ଭ କରିଥିଲେ । ଏହାପରେ ସୁରତକର ସହରରୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜୀରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ପୂରା କରିଥିଲେ । ହେଲେ ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ସୁହାସ । ଏହାପରେ ସେ ନିଷ୍ପତ୍ତି ନେଇଥିଲେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ । ଆଉ ପ୍ରସ୍ତୁତି ଆରମ୍ଭ କରି ଏଥିରେ ସଫଳ ହୋଇଥିଲେ ।

ୟୁପିଏସସି ପାସ କରିବା ପରେ ତାଙ୍କର ପ୍ରଥମ ପୋଷ୍ଟିଙ୍ଗ ଆଗ୍ରାରେ ହୋଇଥିଲା । ଚାକିରି ସମୟରେ କାମରୁ ବିରତୀ ମିଳିଲେ ସେ ବ୍ୟାଡମିଣ୍ଟନ ଖେଳୁଥିଲେ । ହେଲେ ସଉକରେ ଥେଳୁଥିବା ଖେଳ ଧିରେ ଧିରେ ତାଙ୍କୁ ସଫଳତା ଦେଇଥିଲେ । ୨୦୧୬ରେ ଅନ୍ତର୍ଜାତୀୟ ମ୍ୟାଚରେ ମେଡାଲ ଜିତିବା ପରେ ସେ ବନି ଯାଇଥିଲେ ଜଣେ ସଫଳ ବ୍ୟାଡମିଣ୍ଟନ ଖେଳାଳି । ଆଉ ଏବେ ପାରାଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ।