ରୁପା ଛାଉଣୀ ହେବ ସିଂହଦ୍ୱାର, ଲାଗିବ ୧ କ୍ୱିଂଟାଲ ୫୪ କିଲୋ ରୁପା। ମରାମତି ହେବ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ

413

କନକ ବ୍ୟୁରୋ: ରୁପା ଛାଉଣୀ ହେବ ସିଂହଦ୍ୱାର । ଲାଗିବ ୧ କ୍ୱିଣ୍ଟାଲ ୫୪ କିଲୋ ରୁପା । ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ ଓ କୋର କମିଟି ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କହିଛନ୍ତି, ରଥଯାତ୍ରା ସମୟରେ ସିଂହଦ୍ୱାରର ରୁପା ଛାଉଣୀ କରାଯିବ । ରୁପା ଦାନ କରିବା ପାଇଁ ଦାତା ସହମତି ପ୍ରକାଶ କରିଛନ୍ତି । ପ୍ରାୟ ୧ କ୍ୱିଣ୍ଟାଲ ୫୪ କିଲୋ ରୁପାରେ ଏହି କାର୍ଯ୍ୟ ହେବ ।

ତିନି ଠାକୁରଙ୍କ ତିନି ରତ୍ନ ପଲଙ୍କର ମରାମତି ପାଇଁ ମଧ୍ୟ ନିଷ୍ପତି ନେଇଛି ପ୍ରଶାସନ । ନିଷ୍ପତି ଅନୁସାରେ ପଲଙ୍କରେ ରୁପା ଛାଉଣୀ କରାଯିବ । ହାତୀ ଦାନ୍ତ ଲାଗିବ । ଆବଶ୍ୟକ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି । କିନ୍ତୁ ଯଦି ହାତୀ ଦାନ୍ତ ନମିଳେ, ତାହେଲେ ପୁରୁଣା ପଲଙ୍କର ହାତୀଦାନ୍ତରେ ମରାମତି କରାଯିବ । ତେବେ ମରାମତି ସମୟରେ ଯେମିତି ମହାପ୍ରଭୁଙ୍କ ପଲଙ୍କର ପୂର୍ବ କାରିଗରୀ ଅତୁଟ ରହିବ ତା ଉପରେ ଧ୍ୟାନ ଦିଆଯିବ । ଏଥିସହ ନୂଆ ପଲଙ୍କର ବି ନିର୍ମାଣ କରାଯିବ । ସମସ୍ତ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତି ହୋଇଛି ।

ଦୀର୍ଘଦିନ ହେବ ମହାପ୍ରଭୁଙ୍କ ଗଜଦନ୍ତ ରତ୍ନ ପଲଙ୍କ ଭାଙ୍ଗିଯାଇଥିବା ଅଭିଯୋଗ ହୋଇ ଆସୁଥିଲା । ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ପଲଙ୍କର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିଲା । ଯାହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ସେବାୟତ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ମରାମତି କରିବାକୁ ଦାବି କରିଥିଲେ ।