କନକ ବ୍ୟୁରୋ : ବସନ୍ତ ରତୁ ଶେଷ ହୋଇନାହିଁ କିନ୍ତୁ ବିଜେପୁରରେ ପ୍ରବଳ ତାତି । ଉପିନର୍ବାଚନ ପାଇଁ ତାରିଖ ପାଖେଇ ଆସିବା ସହ ନେତାଙ୍କ ମନରେ ଛନକା ପଶିବା ଆରମ୍ଭ ହେଲାଣି । ଜିନ୍ଦାବାଦ ଧ୍ୱନିରେ କମ୍ପି ଉଠୁଛି ବିଜେପୁର । ପ୍ରଚାର ମୈଦାନରେ ନେତା, ମନ୍ତ୍ରୀ, ଅଭିନେତାଙ୍କ ଠାରୁ ଆରମ୍ଭ କରି ତିନି ପ୍ରମୁଖ ଦଳର ହେଭିୱେଟ ଡେରା ପକାଇ ବସିଛନ୍ତି । ବିଜେପୁର ଗଡ ଜିତିବା ପାଇଁ ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ହାଇଭୋଲଟେଜ ପ୍ରଚାର କରୁଥିଲେ ହେଁ ଭୋଟର କିନ୍ତୁ ସ୍ପଷ୍ଟ ସଙ୍କେତ ଦେଉନଥିବାରୁ ସବୁ ଦଳର ମଙ୍ଗୁଆଳଙ୍କୁ ଏବେ ଏକ ଅଜଣା ଭୟ ଘାରିଛି ।
କିଏ ଜିତିବ ବିଜେପୁର ବାଜି ? କାହାର ହେବ ଜିତାପଟ । ବିଜେପୁରବାସୀ କାହାକୁ ଗ୍ରହଣ କରିବେ । ବିଜେପୁର ନିର୍ବାଚନର ଫଳାଫଳ କଣ ହେବ । ଏଭଳି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ପାଇଁ ରାଜନୈତିକ ମହଲରେ ଉକ୍ରଣ୍ଠା ବଢିବାରେ ଲାଗିଛି । ଏସବୁ ସ୍ଥିତିରେ ଭୋଟରଙ୍କ ମନ ଜିଣିବା ପାଇଁ ପ୍ରତି ଦଳ ପକ୍ଷରୁ ଆରମ୍ଭ ହୋଇଛି ଅଙ୍କକଷା । କେଉଁ ଦଳର ଅଙ୍କକଷା ନିର୍ଭୂଲ ତାହା ତ ଆସନ୍ତା ୨୮ ତାରିଖରେ ଜଣାପଡିବ । କିନ୍ତୁ ଏହା ପୂର୍ବରୁ ବିଜେପୁର ଭୋଟରଙ୍କ ନିରବତା ଦଳୀୟ ମଙ୍ଗୁଆଳ ମାନଙ୍କର ଟେନସନ ବଢାଇଦେଇଛି । କାରଣ ଏହି ଉପନିର୍ବାଚନ ସବୁ ଦଳ ପାଇଁ ଅଗ୍ନିପରୀକ୍ଷା ପାଲଟିଛି ।
ବିଜେପୁର ଉପନିର୍ବାଚନ ଏବେ ଉଭୟ ବିଜେପି-ବିଜେଡି ପାଇଁ ସମ୍ମାନର ଲଢେଇ ପାଲଟିଛି । ଗୋଟିଏ ପଟେ ଶାସକ ଦଳରେ ଥିବା ବିଜେଡି ଦୀର୍ଘ ୧୪ ବର୍ଷ ପରେ ଏହି ଗଡ ଜିତିବା ପାଇଁ ଜି ଜାନ ଲଗାଇ ଦେଇଛି । ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଲକ୍ଷ୍ୟ କଲେ ବିଜେପୁର ବାଜି ଜିତିବା ବିଜେଡ଼ି ପକ୍ଷେ ଏତେ ସହଜ ହେବନି । କାରଣ ପଞ୍ଚାୟତ ନିର୍ବାଚନରେ ମୋଟ ୭ ଟି ଜିଲ୍ଲା ପରିଷଦ ଆସନରୁ ୬ଟି ହାତେଇବାରେ ସକ୍ଷମ ହୋଇଥିଲା ଭାଜପା । ଯାହା ଶଙ୍ଖ ଦଳ ସୁପ୍ରିମୋଙ୍କ ପାଇଁ ବଡ ଚିନ୍ତାର କାରଣ । କିନ୍ତୁ ବିଜେପୁର ବାଜି ଜିତିବାକୁ ନବୀନ ଯେଉଁ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ତାହା ହୁଏତ ବିଜେପୁର ରେସରେ ବିଜେଡିକୁ ଗୋଟିଏ ପାଦ ଆଗରେ ରଖିଛି । ବିଜେପୁର ପାଇଁ ନବୀନଙ୍କ କୋଟି କୋଟି ଟଙ୍କାର ପ୍ୟାକେଜ ଭୋଟରେ ରୂପାନ୍ତରିତ ହେବ ବୋଲି ବିଜେଡି ଆଶା ରଖିଛି । କିନ୍ତୁ ଭୋଟରଙ୍କୁ ଏହା ପ୍ରଭାବିତ କରିବ କି ନାହିଁ ତାହା ଏବେ ବିଜେଡି ପାଇଁ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳର ଛାମୁଆ ନେତା ବିଜେପୁରରେ ତିନିମାସ ଧରି ଡେରା ପକାଇଥିଲେ ମଧ୍ୟ ସ୍ଥିତି ଏଯାଏଁ ବିଜେଡି ନିୟନନ୍ତ୍ରଣକୁ ଆସିନାହିଁ । ଭୋଟରଙ୍କ ନିରବତା ଦଳୀୟ ନେତାଙ୍କୁ ବ୍ୟଥିତ କରୁଛି । କେଉଁ ଆଡକୁ ଭୋଟର ଢଳିବେ ତାହାର କୌଣସି ପୂର୍ବାନୁମାନ ମଧ୍ୟ କରି ପାରୁନାହିଁ ବିଜେଡି କ୍ୟାମ୍ପ ।
ଏଭଳି ସ୍ଥଳେ ଯଦି ବିଜେଡି ଏହି ନିର୍ବାଚନରେ ବିଜୟୀ ହୁଏ, ତେବେ ବାର୍ତା ଯିବ, ପଞ୍ଚାୟତରେ ପଦ୍ମ ଫୁଟିବା ସତ୍ତ୍ୱେ ଶଙ୍ଖର ଶବ୍ଦକୁ ଏହା ରୋକିପାରୁନି ଓ ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି। ଆସନ୍ତା ୧୪ମାସ ଯାଏ ପ୍ରତିପକ୍ଷଙ୍କ ମୁହଁ ବନ୍ଦ ଲାଗି ଏହାକୁ ଦଳ ପ୍ରମୁଖ ଅସ୍ତ୍ର ଭାବେ ପ୍ରୟୋଗ କରିପାରେ। ସମାନ୍ତରାଳ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶ୍ନ ଚିହ୍ନ ଲାଗିବ। ଏପରିକି ଓଡ଼ିଶାରେ ବିଜେପି ମିଶନ ୧୨୦ର ଯେଉଁ ସ୍ୱପ୍ନ ଦେଖୁଛି ସେଥିରେ ଏହି ଉପନିର୍ବାଚନର ଫଳାଫଳ ବ୍ରେକ ଲଗାଇବ ।
ଅନ୍ୟପଟେ ବିଜେପି ପାଇଁ ମଧ୍ୟ ବିଜେପୁର ଉପନିର୍ବାଚନ ସମ୍ମାନର ଲଢେଇ ପାଲଟିଛି । କାରଣ ଏହି ଉପନିର୍ବାଚନର ଫଳାଫଳ ହିଁ ବିଜେପିର ମିଶନ ୧୨୦ ପାଇଁ ପଥ ପରିଷ୍ମାର କରିବ । ବିଜେପି ଏହି ଉପନିର୍ବାଚନ ଫଳାଫଳକୁ ପାଥେୟ କରି ୨୦୧୯ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ଏହାଛଡା ଗତ ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ବିଜେପି ସପକ୍ଷରେ ହାୱା ବହିଥିଲା । ବିଜେପୁର ନିର୍ବାଚନମଣ୍ଡଳୀରୁ ୯୦ ହଜାରରୁ ଅଧିକ ଭୋଟ ପାଇ ପଦ୍ମ ଦଳ ୭ଟି ଜିଲ୍ଲା ପରିଷଦ ଆସନରୁ ୬ଟି ହାସଲ କରିଥିଲା । ଏହି ଏହି ଅଙ୍କକୁ ଆଧାର କରି ବିଜେପି ନେତାମାନେ ଉପନିର୍ବାଚନ ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରୁଥିଲେ। ସ୍ୱାଭାବିକ ଭାବେ ପ୍ରାକ୍ ନିର୍ବାଚନୀ ଦୃଶ୍ୟପଟ୍ଟ ସୂଚାଉଥିଲା ଯେ ବିଜେପିର ପଲା ଭାରି ରହିଛି। ମାତ୍ର ଆଜି ଦିନରେ ବିଜେପିର ରଣନୀତି ସୂଚାଇ ଦେଉଛି ଯେ ସ୍ଥିତି ଏତେ ସହଜ ନାହିଁ। ଅର୍ଥାତ୍ ପଞ୍ଚାୟତ ନିର୍ବାଚନ ଭୋଟକୁ ଦଳ ନିଜ ପାଖରେ ଶତ ପ୍ରତିଶତ ରଖିବାରେ ସକ୍ଷମ ହୋଇପାରିନାହିଁ। ଯେଉଁଥିପାଇଁ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସାହାରା ନେବାକୁ ଦଳ ବାଧ୍ୟ ହୋଇଛି। ଚଳଚ୍ଚିତ୍ର ତାରକାଙ୍କୁ ଆୟୁଧ କରି ଲୋକଙ୍କୁ ଟାଣିବାକୁ ଉଦ୍ୟମ ଚଳାଇଛି।
ଏସବୁ ଭିତରେ ଯଦି ବିଜେପି ବିଜୟ ଲାଭ କରେ, ତେବେ ପରିବର୍ତ୍ତନର ହାୱା ବହିବା ଆରମ୍ଭ ହୋଇଛି ବୋଲି ଏକ ବାର୍ତ୍ତା ଯିବ । ଯାହା ଦଳର ଆତ୍ମବିଶ୍ୱାସ ବଢାଇବା ସହ ଧର୍ମେନ୍ଦ୍ର ପାଇଁ ଏକ ସୁଯୋଗ ସୃଷ୍ଟି କରିବ । କିନ୍ତୁ ବିଜେପିର ବିଜୟରେ ଅଧିକ କ୍ଷତିଗସ୍ତ ବିଜେଡି । ବିଜେପୁରରେ ବିଜେପିର ବିଜୟ ବିଜେଡିରେ ଥିବା ଅସନ୍ତୁଷ୍ଟ ନେତା ମାନଙ୍କୁ ଏକାଠି କରିବା ସହ ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ।
କଂଗ୍ରେସ ପାଇଁ ବିଜେପୁର ଗଡ ବଞ୍ଚାଇବା ସବୁଠାରୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବ । ବିଜେଡିର ଲୋକପ୍ରିୟତା ସତ୍ତ୍ୱେ ଲଗାତାର ତିନି ତିନି ଥର ଏହି ଆସନ ଦଖଲ କରିଥିଲା କଂଗ୍ରେସ। ଯଦିଓ ପଞ୍ଚାୟତ ନିର୍ବାଚନରେ ଫଳାଫଳ ବିଷମ ହୋଇଥିଲା ସତ କିନ୍ତୁ ଗତ ସାଧାରଣ ନିର୍ବାଚନରେ ଦଳ ବେଶ୍ ଦବଦବା ଦେଖାଇଥିଲା ପଶ୍ଚିମ ଓଡ଼ିଶାରେ। ଏହି ଉପନିର୍ବାଚନରେ ଶେଷ ମୁହୂର୍ତରେ ଦଳ ପ୍ରାର୍ଥୀ ଘୋଷଣା କରିଥିଲା ଓ ବିଳମ୍ବରେ ରାଜ୍ୟ ନେତୃତ୍ୱ ପ୍ରଚାରର ମଙ୍ଗ ଧରିଛି। କିନ୍ତୁ କଂଗ୍ରେସ ସପକ୍ଷରେ ଜନମତ ରହିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱ ହଟୁନାହିଁ।
ଏସବୁ ଭିତରେ ବିଜେପୁର ଉପନିର୍ବାଚନକୁ ନେଇ ନିରବ ରହୁଥିବା ଭୋଟରଙ୍କ ଗତି କୁଆଡେ ତାହାକୁ ଏତେ ସହଜରେ ବୁଝିପାରୁ ନାହାନ୍ତି ତିନି ଦଳର ମୁଖ୍ୟ କାପର୍ଟଦାର । ତିନି ଦଳର କହିବା ଅନୁଯାୟୀ, ବିଜେପୁର ବାସୀ ତାଙ୍କ ସହ ଅଛନ୍ତି । କିନ୍ତୁ ବିଜେପୁର ଭୋଟର ବିକାଶକୁ ପାଥେୟ କରି ଭୋଟ ଦେବେ ଏକଥା ସ୍ପଷ୍ଟ କରି ସାରିଲେଣି । କିନ୍ତୁ କେଉଁ ଦଳ ବିକାଶ କରିଛି ଏହି ପ୍ରଶ୍ନର ଉତ୍ତର ନ ଦେଇ ନିରବ ରହୁଛନ୍ତି ଭୋଟର । ତେଣୁ ଭୋଟରଙ୍କ ମନରେ କଣ ରହିଛି ତାହା ଠଉରାଇ ପାରୁନାହାନ୍ତି ତିନି ପ୍ରମୁଖ ଦଳର ନେତା । ସାଇଲେଣ୍ଟ ଭୋଟରଙ୍କୁ ନେଇ ତିନି ଦଳ ମଧ୍ୟରେ ବଢୁଛି ଶଙ୍କା । ତେଣୁ ବିଜେପୁରରେ କଡା ଲଢେଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।