ସାଇଲେଣ୍ଟ ହାର୍ଟଆଟାକ୍ । ଲକ୍ଷଣ କ’ଣ?

519

କନକ ବ୍ୟୁରୋ: ଶୀତଋତୁରେ ଥଣ୍ଡା, କାଶ ଓ ଗଳା ଯନ୍ତ୍ରଣା ସହ ଅନେକ ଗମ୍ଭୀର ରୋଗ ଦେଖାଯାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଶୀତଦିନେ ହୃଦ୍ ଜନିତ ସମସ୍ୟା ଅଧିକ ଦେଖାଯାଏ । ଆକସ୍ମିକ ଭାବେ ହୃଦଘାତ ମଧ୍ୟ ହୋଇଥାଏ । ହୃଦଘାତ ହେବା ପୂର୍ବରୁ ଏହି ସଙ୍କେତ ଦେଖାଗଲେ ଏହାକୁ ସାଇଲେଣ୍ଟ ହାର୍ଟଆଟାକ୍ ବୋଲି ଜାଣିବେ । ଏବଂ ଯଥା ଶିଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଲକ୍ଷଣ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା କ’ଣ ଏହି ସାଇଲେଣ୍ଟ ହାର୍ଟଆଟାକ୍?

ଯେତେବେଳେ ହୃଦୟରେ ରକ୍ତ ସଞ୍ଚାଳନ ଧୀମା ହୋଇଯାଏ ସେତେବେଳେ ସାଇଲେଣ୍ଟ ହାର୍ଟଆଟାକ ହୋଇଥାଏ । ପୀଡିତ ବ୍ୟକ୍ତି ସାଇଲେଣ୍ଟ ହାର୍ଟ ଆଟାକ ବିଷୟରେ ହଠାତ ଜାଣିପାରେ ନାହିଁ । ଏହା ଅତି ସମାନ୍ୟ ଭାବେ ହୃଦୟରେ ଯନ୍ତ୍ରଣା ସୃଷ୍ଟିି କରେ । ଯଦିଓ ଏହାଦ୍ୱାରା ଅଧିକ କ୍ଷତିକାରକ ନହେଲେ ବି ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଶୀତଦିନେ ଅଧିକ ବିପଦ କାହିଁକି?

ବିଶେଷଜ୍ଞଙ୍କ କହିବା ଅନୁସାରେ ଶୀତଦିନେ ତାପମାତ୍ରା କମ ଥିବାରୁ ରକ୍ତନଳୀଗୁଡିକ ସଙ୍କୁଚିତ ହୋଇଯାଏ । ଏହି କାରଣରୁ ଶରୀରରେ ରକ୍ତ ସଞ୍ଚଳାନ ଠିକ ଭାବରେ ହୋଇପାରେ ନାହିଁ । ଏହାସହ ରକ୍ତଚାପ ବୃଦ୍ଧି , ସୁଗାର ସ୍ତର ବଢିବା ଓ ରକ୍ତ ଜମାଟ ବାନ୍ଧିବା ହେତୁ ହୃଦଘାତର ଆଶଙ୍କା ବୃଦ୍ଧି ପାଇଥାଏ ।

ସାଇଲେଣ୍ଟ ଆଟାକର ଲକ୍ଷଣ: 

ଏଥିରେ ରୋଗୀ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବା ସହ ଜ୍ୱଳନ ଅନୁଭବ କରେ । ଏହାସହ ଦୁର୍ବଳ ଲାଗିବା, ପେଟରେ ଅମ୍ଳ ବଢିବା ସହ ଆଖିକୁ ଠିକ ଭାବେ ଦେଖାଯାଏ ନାହିଁ । ଡିହାଇଡ୍ରେସନ୍ ହୋଇଥାଏ । ଅଧିକ କ୍ଳାନ୍ତ ଅନୁଭବ କରିବା ମାଇଲ୍ଡ ଆଟାକର ଲକ୍ଷଣ । ଗଳାରେ ବା ବେକ ପଛପଟ ଭାଗରେ ଯନ୍ତ୍ରଣା ଅନୁଭୂତ ହୁଏ । ହାତ ଝିମା ମାରିବା ପରି ଲାଗେ । ଶରୀରରୁ ଅଧିକ ଝାଳ ବାହାରେ । ମୁଣ୍ଡ ବୁଲାଇବା ପରି ଅନୁଭୂତ ହୁଏ । ବେଳେବେଳେ ବାନ୍ତି ହେବା ପରି ଲାଗେ ।

ଏଥିରୁ ମୁକ୍ତିର ଉପାୟ:

ହୃଦଘାତକୁ ଏଡାଇବାକୁ ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଖାଦ୍ୟପେୟ । ଖାଦ୍ୟ ଖାଇବାର ସମୟ ଠିକ ରଖନ୍ତୁ । ଏବଂ ସବୁବେଳେ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ । ତେଲ ମସଲାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ । ଏହାସହ ନିଜକୁ ବିଭିନ୍ନ ଉପାୟରେ ଷ୍ଟ୍ରେସ୍ ଫ୍ରି ରଖନ୍ତୁ । ଏସବୁ ହୃଦଘାତକୁ ଅନେକାଂଶରେ ଏଡାଇଦେଇପାରିବ ।