ରାଜସ୍ଥାନରେ କଂଗ୍ରେସର ୩ଦିନିଆ ଚିନ୍ତନ ଶିବିର । ଲକ୍ଷ୍ମଣରେଖା ଟାଣିଲେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବିଜେପିକୁ କଲେ ଟାର୍ଗେଟ

88

କନକ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ କଂଗ୍ରେସର ୩ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି । ଶିବିରରେ ଦଳର ବହୁ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।ଶିବିରରେ ପ୍ରଥମ ଦିନରେ ଦଳୀୟନେତାଙ୍କୁ ସମ୍ବୋଧିତ କରି ପ୍ରତିବଦ୍ଧତାର ପାଠ ପଢାଇଛନ୍ତି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏଥିସହ ବିଜେପି ଓ ଆରଏଏସକୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ସୋନିଆ କହିଛନ୍ତି ବିଜେପି ସରକାର ଦେଶକୁ ଧ୍ରୁବୀକରଣ କରିବା ସହ ଭୟର ପରିବେଶ ସୃଷ୍ଟି କରୁଛି ।

ନିଜ କଥା ଖୋଲାଖୋଲି ରଖିବାର ସ୍ୱାଧୀନତା ଆପଣଙ୍କ ପାଖରେ ରହିଛି ମାତ୍ର ବାହାରକୁ ଏହି ବାର୍ତା ଯିବା ଉଚିତ ଯେ ସଂଗଠନ ଏକ ଓ ଦଳୀୟନେତାଙ୍କ ମଧ୍ୟରେ ଏକତା ରହିଛି । କଂଗ୍ରେସର ଚିନ୍ତନ ଶିବିରର ଉଦଘାଟନୀ ଭାଷଣରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟନେତାଙ୍କ ପାଇଁ ଅନୁଶାସନ ଲକ୍ଷ୍ମଣରେଖା ଟାଣି ଏଭଳି କିଛି କଥା କହିଛନ୍ତି । ନେତାଙ୍କୁ ଦଳର ଋଣ ପରିଶୋଧ କରିବାକୁ ଅପିଲ କରିଛନ୍ତି ସୋନିଆ । ବୈଠକରେ ସୋନିଆ କହିଛନ୍ତି ଯେ କଂଗ୍ରେସ ଆମ ସମସ୍ତଙ୍କୁ ବହୁତ କିଛି ଦେଇଛି । ସେହିପରି ଦରବୃଦ୍ଦି ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସୋନିଆ ଗାନ୍ଧୀ ।

ବୈଠକରେ ଦଳୀୟନେତାଙ୍କୁ ବିଜୟମନ୍ତ୍ର ଦେବା ସହ ମୋଦି ସରକାରଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ କରିଛନ୍ତି ସୋନିଆ ଗାନ୍ଧି । ସୋନିଆ କହିଛନ୍ତି, ଦେଶରେ ବର୍ତମାନ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ହେଉଛି, ଦୁର୍ବଳ ବର୍ଗର ଲୋକ ଉତ୍ପୀଡନୀ ଶିକାର ହେଉଛନ୍ତି ଓ ଦଳିତଙ୍କୁ ନିର୍ଦ୍ଦୋଷରେ ଦଣ୍ଡ ଦିଆଯାଉଛି । ମୋଦି ସରକାରଙ୍କ ଶାସନ ସମୟରେ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଥିବା ଅଭିଯୋଗ କରିଛନ୍ତି ସୋନିଆ । ସେହିପରି ମୋଦୀ ସରକାର କେନ୍ଦ୍ରିୟ ଏଜେନ୍ସିର ଅପବ୍ୟବହାର କରାଯାଉଥିବା ମଧ୍ୟ କହଛନ୍ତି ସୋନିଆ ଗାନ୍ଧୀ