ପ୍ରାକୃତିର ତାଣ୍ଡବରେ କାନ୍ଦୁଛି ସିକ୍କିମ: କମିଛି ବନ୍ୟା ପ୍ରକୋପ କିନ୍ତୁ ଲିଭୁନି ଯନ୍ତ୍ରଣା

125

କନକ ବ୍ୟୁରୋ: ସିକ୍କିମ ଆଖିରେ ଲୁହ । ପ୍ରଳୟଙ୍କାରୀ ବନ୍ୟା ଆଣିଛି ଦୁଃଖ । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଭାସୁଛି ଅଜଣା ଶବ । ୨୪ଘଂଟା ଭିତରେ ବଦଳିଛି ସିକ୍କିମର ବିଭିନ୍ନ ସ୍ଥାନ । ପର୍ଯଟନ ଓ ପ୍ରକୃତି ପାଇଁ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଥିବା ସିକ୍କିମ ଆଜି ଛାରଖାର ହୋଇଛି । ପ୍ରକୃତି ତାଣ୍ଡବରେ ଗୁମୁରୀ ଗୁମୁରୀ କାନ୍ଦୁଛି ସିକ୍କିମ । ଟିକେ ନଜର ପକାନ୍ତୁ ସେହି ସବୁ ସ୍ଥାନ ଉପରେ ଯେଉଁଟି ୩୬ଘଂଟା ଧରି ପ୍ରଳୟ ରଚିଥିଲା ଲଗାଣ ଓ ବାଦଲଫଟା ବର୍ଷା । ଆଉ ପାଣି ଛାଡିବା ପରେ କିଭଳି ଶ୍ରୀହୀନ ହୋଇପଡିଛି ସାରା ଅଂଚଳ । ଘଟଣାକୁ ନେଇ ବେଶ ଭୟଭୀତ ଏବେ ସିକ୍କିମବାସୀ ।

ସୂଚନା ଅନୁସାରେ ବନ୍ୟା ଭସେଇ ନେଇଛି ଶହେର ଅଧିକ ଜୀବନ । ଟିକେ ନଜର ପକାନ୍ତୁ ଉଦ୍ଧାର ସମୟର କିଛି ଫଟୋ ଉପରେ । ବନ୍ୟାରେ ଭାସିଯିବାର କିଛି ସମୟପରେ ଉଦ୍ଧାର ହୋଇଛି ସେନାର ଗାଡି । ପାଖାପାଖି ୪ଟି ଟ୍ରକରେ ଯାତ୍ରା କରୁଥିବା ସମୟରେ ୨୩ଜଣ ଯବାନ ବନ୍ୟାର ପ୍ରଖର ସ୍ରୋତରେ ଭାସିଯାଇଥିଲେ । କାଦୁଅମିଶା ପାଣିରେ ଏବେ ବି ପଡି ରହିଛି ସେନାର ଗାଡି । ଘଟଣାରେ ଜଣେ ଓଡିଆ ଯବାନ ସହିଦ ହୋଇଛନ୍ତି । ସେପଟେ ନିଖୋଜ ଅନ୍ୟ ଯବାନଙ୍କ ଏବେ ସୁଦ୍ଧା କୌଣସି ଖୋଜ ଖବର ମିଳୁନି । ପ୍ରଭାବିତ ଅଂଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । କୋଣ ଅନୁକୋଣରେ ଚାଲିଛି ଖୋଜ । ଏବେ ସୁଦ୍ଧା ୨୨ଶହରୁ ଅଧିକଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୨୩ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।

ମଙ୍ଗଳବାର ରାତି ପ୍ରାୟ ୧୦ଟା ୪୨ମିନିଟରେ ହୋନକ ହ୍ରଦରେ ବାଦଲ ଫଟା ବର୍ଷା ହୋଇଥିଲା । ଏହାପରେ ହ୍ରଦରୁ ତିସ୍ତା ନଦୀକୁ ପାଣି ମାଡ଼ିଆସି ବିଭିନ୍ନ ଅଂଚଳରେ ଜଳସ୍ତର ବଢ଼ିବାକୁ ଲାଗିଥିଲା । ଏହି ବନ୍ୟାରେ ଚୁଙ୍ଗଥାଙ୍ଗ ଡ୍ୟାମ ସହ ୧୪ଟି ସେତୁ ଭୁଶୁଡ଼ି ପଡ଼ିଛି । ଏହାସହ ଅନେକ ରାସ୍ତାଘାଟ ମଧ୍ୟ ଧୋଇଯାଇଛି । ଭୟଙ୍କର ବନ୍ୟାରେ ସିକ୍କିମରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି ।