କନକ ବ୍ୟୁରୋ : ସିକ୍କିମ ବନ୍ୟାରେ ନିଖୋଜ ହୋଇଥିବା ୨୩ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଥିବା ଜଣାପଡିଛି । ସେନାରେ କାମ କରୁଥିବା ହାବିଲଦାର୍ ସରୋଜ କୁମାର ଦାସ ସିକିମ୍ ବନ୍ୟାରେ ନିଖୋଜ ହୋଇ ଯାଇଛନ୍ତି । ଢେଙ୍କାନାଳ କାମାକ୍ଷାନଗର ଥାନା ଦିଘି ପଂଚାୟତ କେନ୍ଦୁଢିପ ଗ୍ରାମରେ ସରୋଜଙ୍କ ଘର । ୨୦୧୨ରେ ସେନାବାହିନୀରେ ସେ ଯୋଗ ଦେଇଥିଲେ । ଏହି ବର୍ଷ ଫେବ୍ରୁଆରୀ ମାସରେ ତାଙ୍କର ବିବାହ ହୋଇଥିଲା । ଦୁଇମାସ ପୂର୍ବରୁ ସେ ଘରକୁ ଆସିଥିଲେ ।
ମଙ୍ଗଳବାର ରାତି ୧୦ଟାରେ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ । ସିକିମରେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ ସରୋଜ । ଗତକାଲି ଦିନ ୧୧ଟାରେ ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିବା କହିଛନ୍ତି ତାଙ୍କ ବଡ଼ ଭାଇ ମନୋଜ ସାହୁ ।
ଏହି ଖବର ପରେ ପରିବାର ଓ ଗାଁ ଲୋକ ଆଶଙ୍କା ଭିତରେ ରହିଥିବା ଜଣାପଡିଛି । ମଙ୍ଗଳବାର ରାତିରେ ବାଦଳଫଟା ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ସଂଗୀନ ହୋଇପଡିଛି । ବନ୍ୟାର ପ୍ରଖର ସ୍ରୋତରେ ଭାରତୀୟ ସେନାର ୨୩ ଜଣ ଯବାନଙ୍କ ସହ ୩୦ଜଣ ଭାସିଯାଇଥିବା ସୂଚନା ମିଳିଛି । ଏବେ ବି ଯବାନଙ୍କ କୌଣସି ଖୋଜ ଖବର ନାହିଁ । ସର୍ଚ୍ଚ ଅପରେସନ ଜାରି ରହିଛି ।