କନକ ବ୍ୟୁରୋ : ଦେଶରେ ଜନସଂଖ୍ୟା ବୃଦ୍ଧି ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରମାନେ ଅନେକ ପ୍ରକାର ଯୋଜନା ଘୋଷଣା କରୁଛନ୍ତି । ହେଲେ ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମସିଂ ତମାଙ୍ଗଙ୍କ ଘୋଷଣା ଏବେ ଚକିତ କରିଦେଇଛି । ସେ ନିଜ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି କରିବାକୁ ଅନେକ ପ୍ରକାର ପ୍ରୋତ୍ସାହନ ଘୋଷଣା କରିଛନ୍ତି । ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ରବିବାର ଦିନ ଏକ ସଭାକୁ ଉଦବୋଧନ ଦେଇ ସେ କହିଛନ୍ତି କି, ସିକ୍କିମରେ ପ୍ରଜନନ ହାର ଚଳିତ ବର୍ଷରେ ପ୍ରତି ମହିଳାଙ୍କର ଗୋଟିଏ ଠାରୁ କମ୍ ପିଲା ରହିଛନ୍ତି । ଏହି କାରଣରୁ ଜାତୀୟ ଜନସଂଖ୍ୟା ହାର ତୁଳନାରେ ସିକ୍କିମ ବହୁ ପଛରେ ପଡିଛି ।

Advertisment

ସେ କହିଛନ୍ତି କି “ଆମେ ମହିଳାମାନଙ୍କ ସହ ସ୍ଥାନୀୟ ଲୋକମାନଙ୍କୁ ଅଧିକ ପିଲା ଜନ୍ମ କରିବା ପାଇଁ ପ୍ରୋତ୍ସାହନ ଦେଉଛୁ, ଏହା ଫଳରେ କମୁଥିବା ପ୍ରଜନନ ହାରକୁ ବୃଦ୍ଧି କରାଯାଇପାରିବ” । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ପ୍ରଥମେ ତାଙ୍କ ସରକାର ମହିଳାମାନଙ୍କୁ ୩୬୫ଦିନ ମାତୃତ୍ୱ ଛୁଟି ପ୍ରଦାନ କରୁଥିବା ବେଳେ ପୁରୁଷମାନଙ୍କୁ ପିତୃତ୍ୱ ଛୁଟି ୩୦ଦିନ ପ୍ରଦାନ କରୁଛନ୍ତି । ଏହା ଫଳରେ ମହିଳା ଓ ପୁରୁଷମାନେ ପିତାମାତା ହେବାକୁ ଆଗ୍ରହ ପ୍ରକାଶ କରିବେ ।

ସେହିଭଳି ମହିଳାମାନେ ଦ୍ୱିତୀୟ ପିଲା ଜନ୍ମ କଲେ ସେମାନଙ୍କ ପ୍ରଥମ ଦରମା ବୃଦ୍ଧି ପାଇବ ଓ ତୃତୀୟ ପିଲା ଜନ୍ମକଲେ ପୁଣିଥରେ ଦରମା ବୃଦ୍ଧି ପାଇବ । ଏହାସହ ସାଧାରଣ ଲୋକ ଯଦି ଗୋଟିଏରୁ ଅଧିକ ପିଲା ଜନ୍ମ କରନ୍ତି ତେବେ ସେମାନଙ୍କୁ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ଏନେଇ ମହିଳା ଓ ଶିଶୁ ବିକାଶମନ୍ତ୍ରୀ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିବା କଥା ସିକ୍ମିମ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତମାଙ୍ଗ କହିଛନ୍ତି କି ସାଧାରଣ ମହିଳାମାନେ ପିଲାଜନ୍ମ କଲେ ପ୍ରତିପିଲା ପ୍ରତି ୩ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ସୂଚନା ଥାଉକି ଏବେ ସିକ୍କିମର ଜନସଂଖ୍ୟା ୭ଲକ୍ଷରୁ କମ୍ ଅଛି ।