ମାନବିକତାର ଉଦାହରଣ ଦେଲେ ଶିଖ୍ ଯୁବକ ! ନଦୀରେ ଭାସିଯାଉଥିବା କୁକୁରକୁ ବଚାଂଇବା ପାଇଁ ଭାଙ୍ଗିଲେ ପରମ୍ପରା ।

138

ମଣିଷର ମଣିଷପଣିଆ ହିଁ ତାକୁ ପଶୁଠାରୁ ଭିନ୍ନ କରିଥାଏ । ଏଭଳି ନିଚ୍ଛକ ମଣିଷତ୍ୱର ଉଦାହରଣ ଦେଇଛନ୍ତି ଜଣେ ଶିଖ୍ ବ୍ୟକ୍ତି । ଘଟଣାକୁ ବହୁତ ସମୟ ବିତିଯାଇଥିଲେ ମଧ୍ୟ ଏହା ଲୋକଲୋଚନକୁ ଆସିନଥିଲା । କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ପଞ୍ଜାବରେ ରହୁଥିବା ଶିଖ୍ ବ୍ୟକ୍ତି ସରବନ୍ ସିଂହ କୌଣସି କାମରେ ଯାଉଥିବା ସମୟରେ ନଦୀରେ କୁକୁରଟିଏ ଭାସୁଥିବା ଦେଖିଥିଲେ । କୁକୁରଟି ପାଣିରେ ବୁଡି ହାତ ଗୋଡ ଛଟପଟ କରୁଥିବା ଦେଖି ସେ ନିଜ ପିନ୍ଧିଥିବା ପଗଡି କାଢି ନଦୀରେ ପକାଇଥିଲେ ଏବଂ କୁକୁରଟିକୁ ବାହାରକୁ ବାହାରିବାରେ ସାହାଯ୍ୟ କରିଥିଲେ ।

ସେହି ବାଟରେ ଅନେକ ଲୋକ ଯିବା ଆସିବା କରୁଥିଲେ ମଧ୍ୟ କାହାର ଧ୍ୟାନ କୁକୁରଟି ଉପରେ ପଡିନଥିଲା । କିନ୍ତୁ କୁକୁରଟିକୁ ବୁଡୁଥିବାର ଦେଖି ୨୮ ବର୍ଷୀୟ ଏହି ସର୍ଦ୍ଦାର ସରବନ୍ ସିଂହ ନିଜକୁ ରୋକିପାରିନଥିଲେ ଏବଂ ପିନ୍ଧିଥିବା ପଗଡି ବାହାର କରି ଏକ ଫାଶ ଭଳି କରିଥିଲେ । ଏବଂ ଏହି ଫାଶରେ କୁକୁରକୁ ଫଶାଇ ବାହାରକୁ କାଢିଥିଲେ । ଶିଖ୍ ଧର୍ମରେ କେବଳ ଘରେ ଥିବା ସମୟରେ କିମ୍ବା ସ୍ନାନ ସମୟରେ ପଗଡି ବାହାର କରାଯିବାର ପରମ୍ପରା ରହିଛି କିନ୍ତୁ କୁକୁରକୁ ବଚାଂଇବା ପାଇଁ ପଗଡି ଖୋଲିବା ବେଳେ ଆଖପାଖରେ ଥିବା ଲୋକମାନେ ତାଙ୍କୁ ଚାହିଁ ରହିଥିଲେ । ମଣିଷତ୍ୱ ଆଗରେ ପରମ୍ପରା ତାଙ୍କୁ ତୁଚ୍ଛ ଭଳି ଲାଗିଲା ।