ଗୁଣ୍ଡିଚା ଘରୁ ପୁଣି ବଡ ଦେଉଳକୁ ଲେଉଟାଣି । ଶ୍ରୀଜିଉଙ୍କ ବାହୁଡା ଯାତ୍ରା

87

ବାହୁଡା ଯାତ୍ରା:

ରଥଯାତ୍ରା ପରେ ଆଷାଢ଼ ଶୁକ୍ଳପକ୍ଷ ଦଶମୀକୁ ବାହୁଡ଼ା ଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ପୁଣିଥରେ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀଜିଉମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ଏହି ପର୍ବରେ ରଥ ମାନଙ୍କୁ ଦକ୍ଷିଣ ମୋଡ କରାଯାଏ । ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି –

“ ନବମ୍ୟା ବାସୟେଦ୍ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ ।
ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୋରେଷା ସୁଦୁର୍ଲଭା ॥ ”
(ସ୍କନ୍ଧ ପୁରାଣ, ଉତ୍କଳ ଖଣ୍ଡ)

ଅର୍ଥାତ୍ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ। ଉକ୍ତ ଦିନ ପ୍ରାତଃକାଳ ଅତ୍ୟନ୍ତ ସମୃଦ୍ଧିବାନ୍ । ସେଦିନ ବିଷ୍ଣୁଙ୍କର ପାଲିତ ଦକ୍ଷିଣାମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ । ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ । ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଶ୍ରୀଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ ।