ହ୍ୱାଟସଆପର ବିକଳ୍ପ ଭାବେ ସାମ୍ନାକୁ ଆସିଲା ସିଗନାଲ ଆପ୍ । ବ୍ୟବହାର କରିବାକୁ ଅପିଲ କଲେ ବିଶ୍ୱର ନମ୍ବର ୱାନ ଧନୀ ।

1,489

କନକ ବ୍ୟୁରୋ : ହ୍ୱାଟସଆପ ହାତ ଛାଡିଲେ ୟୁଜର୍ସଙ୍କୁ ସମ୍ଭାଳିବ ସିଗନାଲ । ମେସେଜିଙ୍ଗ ଆପ୍ ହ୍ୱାଟସଆପ ନିଜର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ଆସନ୍ତାମାସ ୮ ତାରିଖରୁ ଏହି ନୂଆ ପଲିସି ଲାଗୁ କରିବାକୁ ଯାଉଛି ହ୍ୱାଟସଆପ । ଏହାଦ୍ୱାରା ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଥିପାଇଁ ୟୁଜର୍ସଙ୍କ ଅନୁମତି ଲୋଡୁଛି ହ୍ୱାଟସଆପ । ଯଦି ହ୍ୱାଟସଆପର ଏହି ସର୍ତ୍ତରେ ରାଜି ନ ହୁଅନ୍ତି ତେବେ ଆପଣଙ୍କୁ ଆକାଉଣ୍ଟ ଡିଲିଟ୍ କରିବାକୁ ପଡିବ । ଯାହା ଏବେ ୟୁଜର୍ସଙ୍କ ଚିନ୍ତା ବଢାଇଛି । କାରଣ ଅତି ସହଜରେ ଓ ଖୁବ କମ ସମୟ ମଧ୍ୟରେ କୌଣସି ମେସେଜ ପଠାଇବାର ସବୁଠାରୁ ସହଜ ମାଧ୍ୟମ ସାଜିଥିଲା ହ୍ୱାଟସଆପ । କିନ୍ତୁ ପ୍ରାଇଭେସୀ ପଲିସି ବଦଳାଇବା ପରେ ୟୁଜର୍ସ ହ୍ୱାଟସଆପର ବିକଳ୍ପ ଆପ ବାବଦରେ ଚିନ୍ତା କରୁଛନ୍ତି । ଆଉ ଏବେ ହ୍ୱାଟସଆପର ବିକଳ୍ପ ଭାବେ ଉଭା ହୋଇଛି ସିଗନାଲ । ଯେଉଁ ଆପକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ହ୍ୱାଟସଆପର ନୂଆ ପ୍ରାଇଭେସୀ ପଲିସି ସିଗନାଲ ଆପ୍ ପାଇଁ ବଡ ସୁଯୋଗ ସୃଷ୍ଟି କରିଛି । ୨୦୧୪ରେ ଲଞ୍ଚ ହୋଇଥିବା ସିଗନାଲ ଆପ୍ ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ହ୍ୱାଟସଆପ ଭଳି ସିଗନାଲ ଆପରେ ମଧ୍ୟ ମେସେଜ ସହ ଭିଡ଼ିଓ କଲିଂ, ଫଟୋ, ଭିଡ଼ିଓ ମଧ୍ୟ ସେୟାର କରିପାରିବେ । ଏହି ଆପରେ ୧୫୦ ଜଣଙ୍କୁ ନେଇ ଗ୍ରୁପ୍ ମଧ୍ୟ ତିଆରି କରାଯାଇପାରିବ । କିନ୍ତୁ ଏହି ଗ୍ରୁପରେ ଆପଣ ସିଧାସଳଖ କାହାକୁ ସାମିଲ କରିପାରିବେ ନାହିଁ । ଉକ୍ତ ୟୁଜର୍ସ ଅନୁମତି ଦେବା ପରେ ଆପଣ ଗ୍ରୁପରେ ତାଙ୍କୁ ସାମିଲ କରିପାରିବେ । ୟୁଜର୍ସଙ୍କ ପ୍ରାଇଭେସିକୁ ଗୁରୁତ୍ୱ ଦେଉଥିବାରୁ ସିଗନାଲ ଆପକୁ ଆପଣାଇଲେଣି ଲୋକେ । ହ୍ୱାଟସଆପ ଅପେକ୍ଷା ସିଗନାଲ ଆପ୍ ଅଧିକ ସୁରକ୍ଷିତ କାରଣ ଏହି ଆପରେ କଲ, ମେସେଜ ସହ ୟୁଜର୍ସଙ୍କ ସମସ୍ତ ଡାଟା ମଧ୍ୟ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ ରହିଛି । ଯାହାଦ୍ୱାରା ୟୁଜର୍ସଙ୍କ କୌଣସି ଡାଟା କମ୍ପାନି ପକ୍ଷରୁ ଷ୍ଟୋର କରାଯାଇନଥାଏ । ସିଗନାଲ ଆପ୍ କେବଳ ୟୁଜର୍ସଙ୍କ ମୋବାଇଲ ନମ୍ବର ନେଇଥାଏ ଯେଉଁଥିରେ ଆକାଉଣ୍ଟ ଖୋଲାଯାଇଥାଏ ।

ଏହାବାଦ୍ ସିଗନାଲ ଆପର ଲୋକପ୍ରିୟତା ଏଥିପାଇଁ ବଢିଛି କାରଣ, ଏହି ଆପରେ ୟୁଜର୍ସଙ୍କୁ ଡାଟା ଲିଙ୍କଡ୍ ଟୁ ୟୁ ଫିଚର ଦିଆଯାଇଛି । ଏହି ବିକଳ୍ପକୁ ବାଛିବା ସହ କୌଣସି ଚାଟିଂର ସ୍କ୍ରିନସଟ୍ ନିଆଯାଇପାରିବ ନାହିଁ । ତେଣୁ ଦୁଇ ଜଣଙ୍କ ମଧ୍ୟରେ ହେଉଥିବା ବାର୍ତ୍ତାଳାପକୁ ଏହା ଆହୁରି ଅଧିକ ସୁରକ୍ଷତି କରିଥାଏ । ୟୁଜର୍ସ ଏହି ଫିଚରକୁ ଏଥିପାଇଁ ଗୁରୁତ୍ୱ ଦେଉଛନ୍ତି କାରଣ, କିଛି ଦିନ ପୂର୍ବେ ସୁଶାନ୍ତଙ୍କ ମାମଲାରେ ବଲିଉଡର ବଡ ବଡ ଷ୍ଟାରଙ୍କ ହ୍ୱାଟସଆପ ଚାଟ୍ ଭାଇରାଲ ହୋଇଥିଲା । ଯାହାକୁ ନେଇ ହ୍ୱାଟସଆପର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଛିଡା ହୋଇଥିଲା । କାରଣ ହ୍ୱାଟସଆପ ମେସେଜରେ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନର ଭରସା ଦେଉଥିବା ବେଳେ ଏହା କିଭଳି ଭାଇରାଲ ହେଲା ।

ସିଗନାଲ ଆପକୁ ପସନ୍ଦ କରିବା ପଛର ଆଉ ଏକ ବଡ କାରଣ ହେଲା, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମେସେଜ ଆପଣାଛାଏଁ କଟିଯିବା । ତେବେ ଏଥିପାଇଁ ୟୁଜର୍ସଙ୍କୁ ୧୦ ସେକେଣ୍ଡରୁ ଆରମ୍ଭ କରି ସପ୍ତାହେ ପର୍ଯ୍ୟନ୍ତ ସମୟସୀମା ସେଟ୍ କରିବାକୁ ପଡିବ । ଏସବୁକୁ ଫିଚର ରହିଥିବାରୁ ସିଗନାଲ ଆପକୁ ଅଧିକ ସୁରକ୍ଷିତ ବୋଲି କୁହାଯାଉଛି । ଏହାଛଡା ବିଶ୍ୱର ବଡ ଧନୀ ଏଲନ ମସ୍କଙ୍କ ଗୋଟିଏ ଟ୍ୱିଟ୍ ସିଗନାଲ ଆପକୁ ଆହୁରି ଲୋକପ୍ରିୟ କରିଛି । ସିଗନାଲ ଆପ ବ୍ୟବହାର କରିବାକୁ ଏଲନ ଟ୍ୱିଟ୍ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ସିଗନାଲ ଆପ୍ କାହିଁକି ହ୍ୱାଟସଆପର ବିକଳ୍ପ ଭାବେ ଟେଲିଗ୍ରାମର ନାଁ ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ପ୍ରାଇଭେସି ମାମଲାରେ ସିଗନାଲ ଆପ୍ ସମସ୍ତଙ୍କୁ ପଛରେ ପକାଇ ଏବେ ହ୍ୱାଟସଆପର ବଡ ବିକଳ୍ପ ଭାବେ ଛିଡା ହୋଇଛି ।