କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରି ରୋଡ୍ ଷ୍ଟେସନରେ ସିଗନାଲ ତ୍ରୁଟି ଯୋଗୁଁ ଲୁପ୍ ଲାଇନକୁ ପଶିଯାଇଥିଲା ମେମୁ ଟ୍ରେନ୍ । ଏହି ଘଟଣାରେ ଷ୍ଟେସନ ମାଷ୍ଟର, ଲୋକୋପାଇଲଟ୍ ଓ ଟେକ୍ନିକାଲ ଷ୍ଟାଫକୁ ପଚରାଉଚରା ଆରମ୍ଭ ହୋଇଛି । ଅନ୍ୟ ରେଳ କର୍ମଚାରୀଙ୍କୁ ମଧ୍ୟ ଖଡଗପୁରରେ ପଚରାଉଚରା କରାଯାଉଛି । ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା ମେମୁ ଟ୍ରେନ୍ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଟଳି ଯାଇଥିଲା ଅଘଟଣ । ବର୍ତ୍ତି ଯାଇଥିଲା ଶତାଧିକ ଯାତ୍ରୀଙ୍କ ଜୀବନ । ସିଗନାଲ ଜନିତ ତ୍ରୁଟି କାରଣରୁ ଲୁପ୍ ଲାଇନକୁ ପଶି ଆସିଥିଲା ମେମୁ ଟ୍ରେନ୍ । ଏହି ସମୟରେ ଅଚାନକ ବ୍ରେକ୍ ମାରି ଟ୍ରେନ୍ ଅଟକାଇବାକୁ ଉଦ୍ୟମ କରିଥିଲେ ଲୋକୋ ପାଇଲଟ । ଟ୍ରେନଟି ଟ୍ରାକ୍ ବାହାରକୁ ଯିବା ପୂର୍ବରୁ ମାତ୍ର ଅଳ୍ପ କିଛି ଦୂରରେ ଅଟକି ଯାଇଥିଲା । ଏହା ପରେ ଟ୍ରେନଟି ପଛକୁ ଫେରି ଷ୍ଟେସନରେ ଲାଗିଥିଲା ।

Advertisment

ପ୍ରତିଦିନ ପରି ଗତକାଲି ଭଦ୍ରକ-ବାଲେଶ୍ବର ମେମୁ ଟ୍ରେନ୍‌ ୧୦ଟା ପରେ ଭଦ୍ରକ ଷ୍ଟେସନ୍‌ରୁ ଡାଉନ୍‌ ଲାଇନ୍‌ରେ ବାଲେଶ୍ବର ଅଭିମୁଖେ ବାହାରିଥିଲା। ତେବେ ସୋର ଷ୍ଟେସନ୍‌ ପାର୍‌ ହେବା ବେଳେ ଏହା ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଚାଲିଥିଲା। ଟ୍ରେନ୍‌ଟି ୧୦ଟା ୫୩ ମିନିଟ୍‌ ବେଳକୁ ବରୁଣସିଂ ନୀଳଗିରି ରୋଡ୍‌ ଷ୍ଟେସନ୍ ନିକଟରେ ପହଞ୍ଚିବାର ଥିଲା। ହେଲେ ୧୨ଟା ୦୨ ମିନିଟ୍‌ରେ ପହଞ୍ଚିଥିଲା ଏବଂ ଦୁଇ ମିନିଟ୍‌ ରହଣି ପରେ ଟ୍ରେନ୍‌ ଷ୍ଟେସନ୍‌ ଛାଡ଼ିଥିଲା। ​ଟ୍ରେନ୍‌ଟିର ଗତି ବଢ଼ୁଥିବା ବେଳେ ଏହା ମେନ୍‌ ଲାଇନ୍‌ରେ ନଯାଇ ଷ୍ଟେସନ୍‌ ନିକଟ ଲୁପ୍‌ ଲାଇନ୍‌କୁ ଚାଲିଯାଇଥିଲା। ଯାହାର ଆଗକୁ ମେନ୍‌ ଲାଇନ୍‌ ସହ କୌଣସି ସଂଯୋଗ ନଥିଲା। ଏହି ସମୟରେ ଟ୍ରେନ୍‌ର ଦୁଇ ଲୋକୋ ପାଇଲଟ୍‌ଙ୍କ ସଂଦେହ ହୋଇଥିଲା ।

ସେମାନେ ଟ୍ରେନ୍‌ଟି ଲୁପ୍‌ ଲାଇନ୍‌ରେ ଯାଉଥିବା ଏବଂ ନିଶ୍ଚିତ ଦୁର୍ଘଟଣା ହେବା ଜାଣି ଏମର୍‌ଜେନ୍‌ସି ବ୍ରେକ୍‌ ଲଗାଇଥିଲେ। ଫଳରେ ଟ୍ରେନ୍‌ଟି ଜୋର୍‌ ଶବ୍ଦ କରି ଅଟକିଥିଲା। ଯାତ୍ରୀମାନେ ପରସ୍ପର ଧକ୍କା ହୋଇଥିଲେ। ହଠାତ୍‌ କଣ ହେଲା, କେହି କିଛି ବୁଝିପାରି ପାରି ନଥିଲେ। ଭୟରେ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇପଡ଼ିଥିଲେ। ଷ୍ଟେସନ୍‌ ମାଷ୍ଟର ଶରତ ଚନ୍ଦ୍ର ସେଠୀ ଓ କର୍ମଚାରୀଙ୍କ ସହ ପାଇଲଟ୍‌ ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ପ୍ରାୟ ଅଧଘଣ୍ଟା ମଧ୍ୟରେ ବାଲେଶ୍ବରରୁ ୪ ଜଣିଆ ଟେକ୍‌ନିକାଲ୍‌ ଟିମ୍‌ ମଧ୍ୟ ପହଞ୍ଚିଥିଲା ଏବଂ ଘଟଣାର ତଦାରଖ କରିଥିଲା। ପରେ ପାଇଲଟ୍‌ ଟ୍ରେନ୍‌ ପଛକୁ ନେଇ ମେନ୍‌ ଲାଇନ୍‌କୁ ଆଣିଥିଲେ।