ସିଦ୍ଧୁଙ୍କ ଟାର୍ଗେଟରେ ଚନ୍ନି, ହାଇକମାଣ୍ଡଙ୍କୁ ଭେଟିବା ପୂର୍ବରୁ ସିଦ୍ଧୁ କହିଲେ ଏମିତି କଥା

112

କନକ ବ୍ୟୁରୋ : ଆଜି ସଂନ୍ଧ୍ୟା ୬ ଟାରେ କଂଗ୍ରେସ ନେତା ନବଜୋତସିଂ ସିଦ୍ଧୁ ଦଳର ମହାସଚିବ କେ.ସି ବେଣୁଗୋପାଳ ଓ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କୁ ଦିଲ୍ଲୀରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ହେଲେ ଦଳର ବରିଷ୍ଠ ନେତାଙ୍କୁ ଭେଟିବା ପୂର୍ବରୁ ସିଦ୍ଧୁ ପୁଣିଥରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନିଙ୍କୁ  ଟାର୍ଗେଟ କରିଛନ୍ତି । ସିଦ୍ଧୁ କହିଛନ୍ତି କି କୌଣସି ପରିସ୍ଥିତିରେ ସେ ବୁଝାମଣା କରିବାକୁ ପ୍ରସ୍ତୁତ ନୁହଁନ୍ତି । ଅନ୍ୟପଟେ ସେ ଦଳର ହାଇକମାଣ୍ଡଙ୍କ ପ୍ରତି ସମ୍ମାନଥିବା କଥା କହିବା ସହ ବୁଝାମଣା କରି ଆଗକୁ ଯିବାକୁ ପ୍ରସ୍ତୁତ ନଥିବା କଥା ସ୍ପଷ୍ଟ କରିଛନ୍ତି ।

ସିଦ୍ଧୁ  ପୋଲିସ ଗୁଳି ମାମଲା ଓ ନିଶା କାରବାର ମାମଲାରେ ତୁରନ୍ତ ନ୍ୟାୟ ଦାବି କରିଛନ୍ତି । ସେ କହିଛନ୍ତି କି ପଞ୍ଜାବ ମଡେଲ ଏବେ ନିଜ ହାତରୁ ଖସିବାରେ ଲାଗିଛି  ଓ ପଞ୍ଜାବର କରଦାତାଙ୍କ ଟଙ୍କାକୁ ଯେଭଳି ଲୁଟ୍ କରାଯାଉଛି ତାହାକୁ ରୋକିବାକୁ ପଡିବ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ରାଜକୋଷକୁ ସମୃଦ୍ଧ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଭଳି ପ୍ରସଙ୍ଗ ଉଠାଇଛନ୍ତି । ଅନ୍ୟପଟେ ଆସନ୍ତାବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ ଓ ଚନ୍ନିଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ଚାହୁଁଛନ୍ତି ଦଳର ହାଇକମାଣ୍ଡ ।

ନିଜ ମିଡିଆ ଟିମ ସହିତ କଥାବାର୍ତ୍ତା ବେଳେ ଏକ ଭିଡିଓ ସେୟାର କରି ସିଦ୍ଧୁ କହିଛନ୍ତି କି, ସେ ପୂର୍ବରୁ ଉଠାଇଥିବା ପ୍ରସଙ୍ଗରେ ଏବେ ବି ଅଟଳ ରହିଛନ୍ତି ।