ଯୋଗୀ ସରକାରକୁ ସିଦ୍ଧୁଙ୍କ ଚେତାବନୀ… । ମନ୍ତ୍ରୀଙ୍କ ପୁଅକୁ ଗିରଫ କର, ପ୍ରିୟଙ୍କା ଗାନ୍ଧୀଙ୍କୁ ଛାଡ ନହେଲେ… ।

296

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡରେ ପ୍ରଦର୍ଶନ କରୁଥିବା ୪ କୃଷକଙ୍କ ମୃତ୍ୟୁ ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ପୁଅକୁ କଂଗ୍ରେସ ଟାର୍ଗେଟ କରିବା ସହ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରି ଆସୁଛି । ଅନ୍ୟପଟେ ଲକ୍ଷ୍ମୀପୁରରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ପ୍ରିୟଙ୍କାଙ୍କୁ ଅଟକାଇବା ସହ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ଏଭଳି ସ୍ଥିତିରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଯୋଗୀ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି ।

ସିଦ୍ଧୁ ଟ୍ୱିଟ୍ କରି କହିଛନ୍ତି, ଯଦି ଆସନ୍ତାକାଲି ସୁଦ୍ଧା କୃଷକଙ୍କ ନୃଂଶସ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ନ କରାଯାଏ ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଛଡାନଯାଏ ତେବେ ପଞ୍ଜାବ କଂଗ୍ରେସ ଲକ୍ଷ୍ମୀପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବ ।

ଏହାପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଜୟପୁର ଗସ୍ତ ସ୍ଥଗିତ କରିଛନ୍ତି । ଲକ୍ଷ୍ମୀପୁର ହିଂସାକାଣ୍ଡ ପରେ ଏହି ଗସ୍ତକୁ ସ୍ଥଗିତ ରଖିଛନ୍ତି ଚନ୍ନି । ଏପରିକି ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଯୋଗୀ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇନାହିଁ । ବିରୋଧୀ ଦଳର ନେତା ଘଟଣାସ୍ଥଳରେ ପହଞ୍ଚିଲେ ସ୍ଥିତି ବିଗିଡିଯିବ ବୋଲି ଆଶଙ୍କା କରି ଏହି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦିଆଯାଇନି । ବିରୋଧୀ ଦଳ ଏହି ମାମଲାରୁ ରାଜନୈତିକ ଫାଇଦା ନେବାକୁ ଚାହୁଁଛି, ଘଟଣାସ୍ଥଳରେ ସ୍ଥିତି ସମ୍ବେଦନଶୀଳ ଥିବାରୁ ବିରୋଧୀ ନେତାଙ୍କୁ ଅନୁମତି ଦିଆଯାଉନି ବୋଲି ଯୋଗୀଙ୍କ ମନ୍ତ୍ରୀ କହିଛନ୍ତି ।