କରତାରପୁର ସାହେବ ଗୁରୁଦ୍ୱାର ଖୋଲିବା ନିଷ୍ପତି ପାଇଁ ଇମ୍ରାନଙ୍କୁ ସିଦ୍ଧୁଙ୍କ ଧନ୍ୟବାଦ, କହିଲେ ଦୁଇ ପାଦ ବଢାଇଲା ପାକ୍, ଦୁଇ ପାଦ ବଢାନ୍ତୁ ଭାରତ ସରକାର ।

25

କନକ ବ୍ୟୁରୋ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ଇମ୍ରାନ ପ୍ରୀତି । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସିଦ୍ଧୁ । ପାକିସ୍ତାନ ସରକାର ଭାରତ ପାକ୍ ସୀମାରେ ଥିବା କରତାରପୁର ସାହେବ ଗୁରୁଦ୍ୱାରକୁ ଶିଖ ଶ୍ରଦ୍ଧାଳୁଙ୍କୁ ଯିବା ପାଇଁ ଅନୁମତି ଦେବେ ବୋଲି ସୂଚନା ଦେଇଛନ୍ତି ପଂଜାବ ସରକାରଙ୍କ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏବଂ ପାକିସ୍ତାନର ଏପରି ପଦକ୍ଷେପ ପାଇଁ ସେ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁନାନକଙ୍କ ୫୫୦ତମ ଜନ୍ମ ଜୟନ୍ତୀରେ କରତାରପୁର ସାହେବ ଗୁରୁଦ୍ୱାରକୁ ଖୋଲିବା ପାଇଁ ପାକିସ୍ତାନ ସରକାର ନିଷ୍ପତି ନେଇଥିବା ନବଜୋତ ସିଂ ସିଦ୍ଧୁ କହିଛନ୍ତି ।

ତେବେ ଏନେଇ ପାକ୍ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି କହିଛନ୍ତି । ଏହି ନିଷ୍ପତି ସହ ପାକିସ୍ତାନ ସରକାର ବନ୍ଧୁତାର ବାର୍ତା ଦେଇ ଦୁଇ ପାଦ ଆଗକୁ ବଢିଛନ୍ତି ଏବଂ ଏବେ ଭାରତ ସରକାର ମଧ୍ୟ ଦୁଇ ପାଦ ଆଗେଇବା ଆବଶ୍ୟକ ବୋଲି ସିଦ୍ଧୁ କହିଛନ୍ତି । ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ନବଜୋତ ସିଂ ସିଦ୍ଧୁ । ଯାହାକୁ ନେଇ ତାଙ୍କୁ ବେଶ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାସହ ପାକିସ୍ତାନ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କରିବା ନେଇ ମଧ୍ୟ ବିବାଦରେ ଫସିଥିଲେ ସିଦ୍ଧୁ ।