କନକ ବ୍ୟୁରୋ: ପଞ୍ଜାବ ମନସା ଜିଲ୍ଲାର ସଂକୀର୍ଣ୍ଣ ରାସ୍ତାରେ ଧଳା ରଙ୍ଗର ବୋଲେରୋ କାର । ମେ ୨୫ରେ ହରିଆଣା ଫତେହବାଦରୁ ମନସାକୁ କରିଥିଲା ପ୍ରବେଶ । ବର୍ତ୍ତମାନ ଯେଉଁ ନୂଆ ଭିଡିଓ ସାମ୍ନାକୁ ଆସିଛି ତାହା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଘଟଣାର ଠିକ ୪ଦିନ ପୂର୍ବର । ପଞ୍ଜାବ ପୁଲିସର ଅନୁସାରେ ହତ୍ୟାକାଣ୍ଡରେ ସର୍ମ୍ପୃକ୍ତ କିଛି ଅପରାଧୀ ଏହି କାରରେ ବସି ମନସାକୁ ଆସିଥିଲେ ଓ ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ବଡଯୋଜନା କରିଥିଲେ । ପୂର୍ବରୁ ରିଲିଜ ହୋଇଥିବା ଏକ ଭିଡିଓରେ ମଧ୍ୟ ଏହି ବଲେରୋ କାରକୁ ଦେଖିବାକୁ ମିଳିଛି । ବଲେରୋ କାରଟି ସିଦ୍ଧୁଙ୍କ କାରକୁ ପିଛା କରିଯାଉଥିବା ଦେଖିବାକୁ ମିଳିଥିଲା । ମେ ୨୯ରେ ୭ରୁ ୮ ଅପରାଧୀ ସିଦ୍ଧୁଙ୍କ ଗାଡିକୁ ଉଭୟ ଆଗ ଓ ପଛ ପଟୁ ଘେରି ବିଦେଶୀ ହତିଆରରେ ଆଖିବୁଜା ଗୁଳିମାଡ କରି ହତ୍ୟା କରିଥିଲେ ।
କେବଳ ପଞ୍ଜାବ ନୁହେଁ ସାରା ଦେଶରେ ଚହଳ ପକାଇଥିବା ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ନୂଆ ନୂଆ ଖୁଲ୍ଲାସା ସାମ୍ନାକୁ ଆସୁଛି । ଏହା ଭିତରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ହାତରେ ଲାଗିଛି ନୂଆ ସୁରାକ । ହତ୍ୟାକାଣ୍ଡରେ ସମ୍ପୃକ୍ତ କିଛି ସାର୍ପ ସୁଟର ନେପାଳରେ ଲୁଚି ରହିଥିବା ସୂଚନା ପାଇବା ପରେ ସେଠାରେ ପହଁଞ୍ଚିଛି ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଏକ ଟିମ । ନେପାଳରେ ଏବେ ସୁଟରଙ୍କୁ ଖୋଜୁଛି ପୁଲିସ ।
ସେପଟେ ଲରେନ୍ସ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଫତେହବାଦରୁ ଗିରଫ କରି ଜେରା କରୁଛି ପଞ୍ଜାବ ପୁଲିସ । କଳେବଳେ କୌଶଳେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ପଞ୍ଜାବ ଓ ଦିଲ୍ଲୀ ପୁଲିସ ଉଦ୍ୟମ କରୁଛନ୍ତି । ଏହା ଭିତରେ ନୂଆ ନୂଆ ସିସିଟିଭି ଫୁଟେଜ ହତ୍ୟାକାରୀଙ୍କୁ ସୁରାକ ଦେବାରେ ବଡ ଭୂମିକା ତୁଳାଉଛି । ତେବେ ମାଷ୍ଟରମାଇଣ୍ଡକୁ ଧରିବା ଏବେ ପୁଲିସ ପାଇଁ ବଡ ଚ୍ୟାଲେଂଜରେ ପରିଣତ ହୋଇଛି ।