ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାକୁ ଆପ୍ କରିଥିଲା ସର୍ଭେ, ସିଦ୍ଧୁଙ୍କୁ ଦ୍ୱିତୀୟ ପସନ୍ଦର ପ୍ରାର୍ଥୀ ବାଛିଲେ ଜନତା ।

453

କନକ ବ୍ୟୁରୋ :  ଭଗୱନ୍ତ ମାନ୍ ହେବେ ପଞ୍ଜାବରେ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏନେଇ ଘୋଷଣା କରିଛନ୍ତି । ପବ୍ଲିକ୍ ଭୋଟିଂ ଅନୁସାରେ ଏହି ନିଷ୍ପତି ନିଆଯାଇଥିବା କହିଛନ୍ତି କେଜ୍ରିୱାଲ । ସେ କହିଛନ୍ତି ୨୧ ଲକ୍ଷରୁ ଅଧିକ ପଞ୍ଜାବର ଲୋକ ପବ୍ଲିକ୍ ଭୋଟିଂରେ ନିଜର ମତ ରଖିଥିଲେ । ଏଥିରେ ୯୩.୩ ପ୍ରତିଶତ ଭଗୱନ୍ତଙ୍କ ନାଁ ନେଇଥିଲେ । କେଜ୍ରିୱାଲ କହିଛନ୍ତି ପଞ୍ଜାବ ପାଇଁ ଆଜି ଐତିହାସିକ ଦିନ । ପଞ୍ଜାବରେ ଆପ୍ ସରକାର ଗଠନ କରି ବାକୁ ଯାଉଛି ।

ତେବେ ଆପ୍ ପକ୍ଷରୁ କରାଯାଇଥିବା ପବ୍ଲିକ ଭୋଟିଂରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଜବରଦସ୍ତ ଭୋଟ ମିଳିଛି । ଆପର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବା ଉଚିତ ବୋଲି ଯେଉଁ ଭୋଟିଂ କରାଯାଇଥିଲା ସେଥିରେ ସିଦ୍ଧୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆପର ଭୋଟିଂରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ୩.୬ ପ୍ରତିଶତ ଲୋକ କଂଗ୍ରେସ ନେତା ସିଦ୍ଧୁ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ବୋଲି ଭୋଟ କରିଥିଲେ । ଅନ୍ୟପଟେ କିନ୍ତୁ କଂଗ୍ରେସ ଦଳରେ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନାହିଁ । ଦଳ ସଙ୍ଗଠିତ ହୋଇ ନିର୍ବାଚନ ଲଢିବ ବୋଲି ଦିଲ୍ଲୀରୁ ନିର୍ଦ୍ଦେଶ ରହିଛି । କିନ୍ତୁ ପଞ୍ଜାବରେ ସିଦ୍ଧୁଙ୍କ ବଡ ପ୍ରତିଦ୍ୱଦ୍ୱୀ ଭାବେ ଉଭା ହୋଇଛନ୍ତି ଚନ୍ନି । କିଛି ଗୋଷ୍ଠୀ ଚନ୍ନିଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ଲବି ଆରମ୍ଭ କରିଥିବା ବେଳେ ଦିଲ୍ଲୀରେ ସିଦ୍ଧୁଙ୍କ ସମର୍ଥକ ମଧ୍ୟ ଏହି ରେସରେ ପଛରେ ନାହାନ୍ତି ।

କେବଳ ସିଦ୍ଧୁ ନୁହଁନ୍ତି କିଛି ଲୋକ ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଏ ବୋଲି ଇଚ୍ଛା ଜାହିର କରିଥିଲେ । କିନ୍ତୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିୱାଲ । ଏହାପୂର୍ବରୁ ୧୭ ଜାନୁଆରୀ ସନ୍ଧ୍ୟା ୫ଟା ସୁଦ୍ଧା ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ବାବଦରେ ରାୟ ମାଗିଥିଲେ କେଜ୍ରିୱାଲ । ଆଉ ଏହାପରେ ପାଖାପାଖି ୨୧ ଲକ୍ଷ ଲୋକ ନିଜର ରାୟ ହ୍ୱାଟସଆପ , କଲ ଓ ମେସେଜ ମାଧ୍ୟମରେ ଦେଇଥିଲେ । ଯାହା ବାବଦରେ ଆଜି ଘୋଷଣା କରିଛନ୍ତି କେଜ୍ରିୱାଲ ।