ନିର୍ବାଚନୀ ପ୍ରଚାର କରିବାକୁ ଯାଉଥିବା ସମୟରେ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ୍ ସିଂହ ସିଦ୍ଧୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣା ପଡ଼ିଛି । ମଝି ଆକାଶରେ ହଠାତ୍ ତାଙ୍କ ହେଲିକପ୍ଟରର କବାଟ ଖୋଲିଯିବାରୁ ଭିତରେ ବସିଥିବା ସିଦ୍ଧୁ ଡ଼ରି ଯାଇଥିଲେ । ତେବେ ପାଖରେ ବସିଥିବା ସହଯାତ୍ରୀ ନିଜ ବୁଦ୍ଧି ଖଟାଇ ତୁରନ୍ତ କବାଟକୁ ବନ୍ଦ କରି ଦେଇଥିଲେ । ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା ।

Advertisment

ସୂଚନା ମୁତାବକ, ସିଦ୍ଧୁ ନିର୍ବାଚନୀ ପ୍ରଚାର ପାଇଁ ମୁଙ୍ଗେର ଜିଲ୍ଲାର ବାଲାପୁରକୁ ଯାଉଥିଲେ । ଏହି ସମୟରେ ତାଙ୍କ ହେଲିକପ୍ଟରର କବାଟ ଖୋଲି ଯାଇଥିଲା । ହେଲିକପ୍ଟରରେ ସିଦ୍ଧୁଙ୍କ ସହ ବସିଥିବା ଅବସରପ୍ରାପ୍ତ ବ୍ରିଗେଡେୟର ପ୍ରଦୀପ ଯାଦବ ତୁରନ୍ତ ଯାଇ କବାଟ ବନ୍ଦ କରି ଦେଇଥିଲେ । କିନ୍ତୁ କଥା ଏଇଠି ସାରି ନଥିଲା । ବାଲାପୁରରୁ ରାୟପୁର ଆସି ସେଠାରୁ ଡୋଙ୍ଗରାଗାଓଁକୁ ନିର୍ବାଚନୀ ପ୍ରଚାର କରିବା ପାଇଁ ବାହରିବା ପରେ ପାଗ ଖରାପ ହେତୁ ମଝି ଆକାଶରେ ସିଦ୍ଧୁଙ୍କ ହେଲିକପ୍ଟର ଜୋରରେ ହଲିବାକୁ ଲାଗିଥିଲା । ଯାହା ପାଇଁ ପାଇଲଟ୍ ବାଧ୍ୟ ହୋଇ ହେଲିକପ୍ଟରକୁ ପୁଣି ଥରେ ରାୟପୁରକୁ ଫେରାଇ ଆଣିଥିଲେ ବୋଲି ଜଣା ପଡ଼ିଛି ।

ତେବେ ନିର୍ବାଚନ ସଭାକୁ ଯାଇନଥିଲେ ମଧ୍ୟ ଜନସାଧରଣଙ୍କୁ ଉଦବୋଧନ ଦେବାକୁ ପଛାଇ ନଥିଲେ ସିଦ୍ଧୁ । ମୋବାଇଲରେ କଲ କରି ଜନସାଧାରଣଙ୍କୁ ସମ୍ବୋଧନ ଦେଇଥିଲେ ସିଦ୍ଧୁ । କିନ୍ତୁ ଏଭଳି ଅବ୍ୟବସ୍ଥା ପାଇଁ ନିର୍ବାଚନ ଦାୟିତ୍ୱରେ ଥିବା ଦଳର ନେତାଙ୍କ ଉପରେ ରାଗିଥିଲେ ସିଦ୍ଧୁ ।