ପଞ୍ଚଭୂତରେ ମିଶିଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଳା

123

କନକ ବ୍ୟୁରୋ: ଶେଷ ନିଦ୍ରାରେ ଟିଭି ମନୋରଂଜନ ଦୁନିଆର ସୁପରଷ୍ଟାର ସିଦ୍ଧାର୍ଥ ଶୁକ୍ଳା । ମୁମ୍ୱାଇର ଓସିୟାରା ଶ୍ମସାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ବ୍ରହ୍ନକୁମାରୀ ରୀତିରେ କରାଯାଇଛି ଅନ୍ତିମ ସଂସ୍କାର । କରୋନାକୁ ନଜରରେ ରଖି ଖୁବ୍ ସଂଖ୍ୟକ ଲୋକଙ୍କୁ ନେଇ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ଯାତ୍ରାର ସବୁ ନୀତି ସଂପନ୍ନ ହୋଇଛି । ଶେଷ ବିଦାୟ ବେଳାରେ ସମସ୍ତଙ୍କ ଆଖିରେ ଥିଲା ଲୁହ । ଏପଟେ ସିଦ୍ଧାର୍ଥଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି । ଶରୀର ଭିତରେ ଓ ବାହାରେ ନାହିଁ କୌଣସି ଆଘାତର ଚିହ୍ନ ନ ଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ହିଷ୍ଟୋପାଥୋଲୋଜି ଷ୍ଟଡି ଓ କେମିକାଲ ଆନାଲିସିସ୍ ହେବ ବୋଲି କୁହାଯାଇଛି ।

ଆଖିରେ ଲୁହ ଆଉ ମନରେ ଅନେକ କୋହ ଦେଇ ଏମିତି ଅକାଳରେ ଚାଲିଯାଇଛନ୍ତି ଟିଭି ଦୁନିଆର ସୁପରଷ୍ଟାର , ତଥା ବିଗବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳା । ମୁମ୍ୱାଇର ଓସିୟାର ଶ୍ମଶାନରେ ହୋଇଛି ଅନ୍ତିମସଂସ୍କାର । ପୁରା ବ୍ରହ୍ମକୁମାରୀ ରୀତିନୀତିରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମସଂସ୍କାର କରାଯାଇଛି ।

ଶ୍ମଶାନ ଘାଟ ବାହାରେ ଲାଗିଥିଲା ସିଦ୍ଧାର୍ଥ ଶୁକ୍ଳାଙ୍କ ଫ୍ୟାନଙ୍କ ଭିଡ । ଟିଭି ଓ ବଲିଉଡ ଦୁନିଆର ବହୁ ବ୍ୟକ୍ତି ମଧ୍ୟ ସିଦ୍ଧାର୍ଥଙ୍କ ଅନ୍ତିମ ଦର୍ଶନ କରିଥିଲ । ସମସ୍ତଙ୍କ ମନରେ ସେହି ଗୋଟିଏ କଥା ୪୦ ବର୍ଷ ବୟସ, କଣ ଯିବାର ବୟସ । ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ ପରଠାରୁ ପୁରା ଭାଙ୍ଗି ପଡିଛନ୍ତି ତାଙ୍କର ସାଥୀ ସେହନାଜ ଗିଲ୍ । କାନ୍ଦି କାନ୍ଦି ପୁରା ଭାଙ୍ଗି ପଡିଛନ୍ତି ସେହନାଜ । ଏପଟେ ମୁମ୍ୱାଇର କୁପର ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଶବ ବ୍ୟବଛେଦ ଶେଷ ହୋଇଥିଲା । ଡାକ୍ତାରଖାନା ବାହାରେ ସିଦ୍ଧାର୍ଥ ଶୁକ୍ଳାଙ୍କ ପାର୍ଥିବ ଶରୀରକୁ ନେଇଯିବାକୁ ଅପେକ୍ଷା କରି ରହିଥିଲା ଆଂବୁଲାନ୍ସ ।

ଅପରାହ୍ନରେ କୁପର ଡାକ୍ତରଖାନାରୁ ବାହାରିଥିଲା ସିଦ୍ଧାର୍ଥ ଶୁକ୍ଳାଙ୍କ ପାର୍ଥିବ ଶରୀର । ଡାକ୍ତରଖାନାରୁ ଏହାକୁ ନିଆଯାଇଥିଲା ସିଦ୍ଧାର୍ଥ ଶୁକ୍ଳାଙ୍କ ବାସଭବନକୁ । ସେଠାରେ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ସାଥୀ କଳାକାର ଓ ଫ୍ୟାନ୍ସ ଓ ପରିବାର ବର୍ଗ । ସିଦ୍ଧାର୍ଥ ଥିଲେ ଅବିବାହିତ । ତାଙ୍କର ପରିବାର ବ୍ରହ୍ମକୁମାରୀ ଦୀକ୍ଷାରେ ଦୀକ୍ଷିତ । ସେଥିପାଇଁ ସିଦ୍ଧାର୍ଥଙ୍କ ଅନ୍ତିମସଂସ୍କାରକୁ ବ୍ରହ୍ମକୁମାରୀ ରୀତିନୀତିରେ ସଂପନ୍ନ କରାଯାଇଛି ।

ଟିଭି ସୁପରଷ୍ଟାର ତଥା ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ସାଥୀ କଳାକାର । ସିଦ୍ଧାର୍ଥଙ୍କ ପରିବାର କହିଲେ ମାଆ ଓ ଦୁଇ ଭଉଣୀ । ସିଦ୍ଧାର୍ଥଙ୍କ ଅନ୍ତିମସଂସ୍କାରରେ ଶ୍ମସାନରେ ପହଁଚିଥିବା ପରିବାର ଲୋକଙ୍କ ଆଖିରୁ ଝରିଚାଲିଥିଲା ଲୁହ । ଏହା ସତ ସିଦ୍ଧାର୍ଥ ଆଉଫେରିବେନି । ହେଲେ କମ୍ ସମୟ ମଧ୍ୟରେ ସେ ଯେତିକି ସଫଳତା ହାସଲ କରିଛନ୍ତି, ଯେଉଁ ଲୋକପ୍ରିୟତା ଅର୍ଜନ କରିଥିଲେ, ତାହା ହିଁ ତାଙ୍କୁ ସବୁଦିନ ଫ୍ୟାନ୍ସଙ୍କ ମଧ୍ୟରେ ଜଣେ ସଫଳ କଳାକାର ଭାବେ ଅମର କରି ରଖିବ ।