କନକ ବ୍ୟୁରୋ : ବ୍ରହ୍ମପୁର ରାଜନୀତିକୁ ପୁଣି ଫେରିବେ କି ସିଦ୍ଧାନ୍ତ ମହାପାତ୍ର? ୨୦୨୪ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି କି ବ୍ରହ୍ମପୁରର ପୂର୍ବତନ ସାଂସଦ? ବ୍ରହ୍ମପୁରରେ ଦଳୀୟ କର୍ମୀଙ୍କ ସହ ସିଦ୍ଧାନ୍ତଙ୍କ ଆଲୋଚନା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୧୯ ନିର୍ବାଚନର ୪ ବର୍ଷ ପରେ ବ୍ରହ୍ମପୁରରେ ପୁଣିଥରେ ସିଦ୍ଧାନ୍ତଙ୍କ ଆର୍ବିଭାବ ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ୨୦୨୪ ନିର୍ବାଚନର ବର୍ଷେ ପୂର୍ବରୁ ସିଦ୍ଧାନ୍ତଙ୍କ ଏଭଳି ଅଚାନକ ଗଞ୍ଜାମ ଗସ୍ତ ବିଜେଡି ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି । ଗଞ୍ଜାମ ଗସ୍ତରେ ଯାଇ ଛତ୍ରପୁର,ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦଳର ସାଙ୍ଗଠନିକ ସ୍ଥିତି କେମିତି ରହିଛି ସେ ବାବଦରେ ସିଦ୍ଧାନ୍ତ ଆଲୋଚନା କରିଥିବା ନେଇ ସୂଚନା ମିଳିଛି ।

Advertisment

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଜେଡିରୁ ଗ୍ରୀନ୍ ସିଗନାଲ ମିଳିବା ପରେ ପୁଣିଥରେ ବ୍ରହ୍ମପୁର ରାଜନୀତିକୁ କମବ୍ୟାକ କରିଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହେବା ପରେ ବ୍ରହ୍ମପୁର ରାଜନୀତିରେ ଏବେ ଗୋଳମାଳିଆ ସ୍ଥିତି ସୃଷ୍ଟି ହୋଇଛି । ସିଦ୍ଧାନ୍ତଙ୍କ ଜରିଆରେ ଏହାର ଭରଣା କରିବାକୁ ବିଜେଡି ପୁଣି ଅଣ୍ଟା ଭିଡୁଥିବା ସୂଚନା ମିଳିଛି । ଯେହେତୁ ସିଦ୍ଧାନ୍ତ ମହାପାତ୍ର ପୂର୍ବରୁ ୨ ଥର ବ୍ରହ୍ମପୁରର ସାଂସଦ ରହି ସାରିଛନ୍ତି ତେଣୁ ଗୋପାଳପୁର, ଛତ୍ରପୁର ଭଳି ନିର୍ବାଚନମଣ୍ଡଳୀରେ ଏବେ ବି ତାଙ୍କର ପୁରୁଣା ସହଯୋଗୀ ଓ ସଙ୍ଗଠନ ରହିଛି । ଯାହାକୁ ପୁଣିଥରେ ସକ୍ରିୟ କରିବାକୁ ସିଦ୍ଧାନ୍ତଙ୍କ ଏହି ଅଚାନକ ବ୍ରହ୍ମପୁର ଗସ୍ତ ବୋଲି ସୂଚନା ମିଳିଛି ।

ବିଜେଡି ଅନ୍ଦରମହଲରୁ ମିଳିଥିବା ଖବର ଅନୁଯାୟୀ, ପ୍ରଦୀପ ପାଣିଗ୍ରାହୀଙ୍କୁ ଚେକ୍ ଦେବାକୁ ଗୋପାଳପୁରରୁ ସିଦ୍ଧାନ୍ତଙ୍କୁ ମୈଦାନକୁ ଓହ୍ଳାଇବାକୁ ପ୍ରସ୍ତୁତ ହେଉଛି ବିଜେଡି । ୨ଥର ସାଂସଦ ରହିଥିବା ସିଦ୍ଧାନ୍ତଙ୍କର ପୂର୍ବରୁ ଗୋପାଳପୁରରେ ଯଥେଷ୍ଟ ଦବଦବା ରହିଥିଲା । ଯାହାର ଫାଇଦା ପୁଣିଥରେ ନେବାକୁ ବିଜେଡି ପାଗ ଭିଡୁଥିବା ସୂଚନା ମିଳିଛି । ସବୁଠୁ ବଡ କଥା ହେଲା, ଗଞ୍ଜାମ ଗସ୍ତରେ ଆସିବା ପଛର କାରଣ କହିଛନ୍ତି ସିଦ୍ଧାନ୍ତ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ କାର୍ଯ୍ୟ କରୁଥିବା କହିଛନ୍ତି ପୂର୍ବତନ ସାଂସଦ । ଯାହା ଗଞ୍ଜାମ ବିଜେଡି ରାଜନୀତିକୁ ପୁଣିଥରେ ସରଗରମ କରିଛି । ଏନେଇ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି, ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସିଦ୍ଧାନ୍ତ ଆସିଥିଲେ । ବିଜେଡିରେ ଯେହେତୁ ସେ ଅଛନ୍ତି ତେଣୁ ଆସିଲେ ସଙ୍ଗଠନ ଆହୁରି ଦୃଢ ହେବ ।

୨୦୦୯, ୨୦୧୪ ଲଗାତାର ୨ ଥର ବିଜେଡି ଟିକେଟରୁ ବ୍ରହ୍ମପୁରରୁ ସାଂସଦ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର । କିନ୍ତୁ ୨୦୧୯ରେ କଂଗ୍ରେସରୁ ଆସିଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଟିକେଟ ଦେଇଥିଲା । ଟିକେଟ ପାଇନଥିଲେ ମଧ୍ୟ ଦଳ ବିରୋଧରେ ବିଷୋଦଗାର କରିନଥିଲେ ସିଦ୍ଧାନ୍ତ । ବରଂ ବ୍ରହ୍ମପୁର ରାଜନୀତିରୁ ନିଜକୁ ଏକପ୍ରକାର ଦୂରେଇ ରଖିଥିଲେ ସିଦ୍ଧାନ୍ତ । ଏପରିକି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସିଦ୍ଧାନ୍ତଙ୍କ ଅନୁପସ୍ଥିତି ଦର୍ଶାଉଥିଲା ଯେ, ପ୍ରତ୍ୟକ୍ଷ ରାଜନୀତିରୁ ସେ ଯେମିତି ମୁହଁ ମୋଡି ନେଇଛନ୍ତି । ପରେ ସିଦ୍ଧାନ୍ତଙ୍କୁ ପରଦା ଉପରେ ଦେଖିବାକୁ ମିଳିଥିଲା । କିନ୍ତୁ ୨୦୨୪ ନିର୍ବାଚନକୁ ଆଉ ମାତ୍ର ବର୍ଷେ ସମୟ ଥିବା ବେଳେ ସିଦ୍ଧାନ୍ତଙ୍କୁ ପୁଣିଥରେ ବିଜେଡି କ୍ୟାମ୍ପରେ ଦେଖିବାକୁ ମିଳିଛି । ଯାହା ଗଞ୍ଜାମ ରାଜନୀତିକୁ ରୋଚକ କରିଛି ।