ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ଷ୍ଟାର । ବାଦ୍ ପଡିଲେ ସିଦ୍ଧାନ୍ତ, ଅରିନ୍ଦମ ଏବଂ ଆକାଶ ।

2,049

କନକ ବ୍ୟୁରୋ: ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ଓଲିଉଡ୍ ଷ୍ଟାର । ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହେଇଥିବା ଓଲିଉଡ୍ ଷ୍ଟାରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ୍ ଷ୍ଟାରଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି, ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି ।

ଏଥର ଦିଗପହଣ୍ଡିରୁ ବିଜେପି ବିଧାୟକ ପ୍ରାର୍ଥୀ ହେଇଛନ୍ତି ଲୋକପ୍ରିୟ ଓଡିଆ ହିରୋ ସିଦ୍ଧାନ୍ତ ମହାପାତ୍ର, ସେହିପରି କୋରେଇରୁ ବିଧାୟକ ପ୍ରାର୍ଥୀ ହେଇଛନ୍ତି ଆକାଶ ଦାସ ନାୟକ । ଏହି ଦୁଇ ନେତା ନିକଟରେ ବିଜେଡିକୁ ବାଏ ବାଏ କହିବା ସହିତ ପଦ୍ମ ଶିବିରରେ ସାମିଲ ହେଇଥିଲେ । ଆଉ ଦଳ ତାଙ୍କୁ ନିର୍ବାଚନ ପାଇଁ ଟିକେଟ୍ ବି ଦେଇଥିଲା । ହେଲେ ଏହାପରେ ବି, ଦଳ ଏମାନଙ୍କୁ କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି ।

ସେହିପରି ଓଲିଉଡ୍ ଷ୍ଟାର ଅରିନ୍ଦମ ରାୟଙ୍କୁ ମଧ୍ୟ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରନ୍ତି । ଖାଲି ସେତିକି ନୁହେଁ, ତାଙ୍କୁ କୌଣସି ଆସନରୁ ନିର୍ବାଚନ ଟିକେଟ୍ ମଧ୍ୟ ଦେଇନି ବିଜେପି । ଏବେ ବି ବିଜେପିରେ ଅରିନ୍ଦମଙ୍କ ଟିକେଟ୍ ଆଶା, ଆଶଙ୍କାରେ ରହିଥିବାବେଳେ, ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ନକରାଯିବା ଚର୍ଚ୍ଚା ବଢାଇଛି । କେବଳ ଅନୁଭବ ମହାନ୍ତି, ପିଙ୍କି ପ୍ରଧାନ, ଶ୍ରୀତମ ଦାସ ଏବଂ ହରିହର ମହାପାତ୍ରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ।