କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା। ଶପଥ ସମାରୋହରେ ଏକାଠି ହେଲେ ବିରୋଧୀ।

189

କନକ ବ୍ୟୁରୋ: କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିଲା କଂଗ୍ରେସ । କଂଗ୍ରେସକର୍ମୀମୟ ହେଲା ବେଙ୍ଗାଲୁରୁର କାଂଟେରବା ଷ୍ଟାଡିୟମ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଥାବରଚନ୍ଦ ଗେହଲଟ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ ଓ ପୂର୍ବତନ କଣ୍ଣାଟକ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱର ମଧ୍ୟ ରହିଛନ୍ତି ।

କର୍ଣ୍ଣାଟକ ନୁଆ ସରକାରର ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ବିରୋଧୀ । ସେହିପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଏହି ଅବସରରେ କାଂଟେରାବା ଷ୍ଟାଡିୟମରେ ଉପସ୍ଥିତ ରହିଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ରହିବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଏନସିପି ସୁପ୍ରିମୋ ଶରଦ ପାୱାର, ଫାରୁକ ଅବଦୁଲା , ସିପିଆଇ ନେତା ଡି ରାଜା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ହିମାଚଳପ୍ରଦେଶ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ କଂଗ୍ରେସ ସରକାରର ଶପଥ ଉତ୍ସବରେ ସାମିଲ ହୋଇଛନ୍ତି । ସେହିପରି ବେଙ୍ଗାଲୁରୁରେ ବିରୋଧୀଙ୍କ ମେଳିକୁ ନେଇ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି ।