କନକ ବ୍ୟୁରୋ : ଜମି ଦୁର୍ନୀତି ମାମଲାରେ ପୁଣି ଫସିଛନ୍ତି ଆଉ ଜଣେ ବଡ ରାଜନେତା । ଏଥରକ ପାଳି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କର । ମହିଶୁର ଡେଭଲପେମେଂଟ ଅଥରିଟି ବା ମୁଦା ମାମଲାରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ । ସୂଚନା ଅନୁସାରେ ପ୍ରଥମେ ଆରଟିଆଇ କର୍ମୀ ଟି.ଜେ ଆବ୍ରାହମ ମୁଦା ସ୍କାମରେ ଜମି ଦୁର୍ନୀତି ଅଭିଯୋଗ ଆଣିଥିଲେ । ସିଦ୍ଧରମୈୟା ପତ୍ନୀ ପାର୍ବତୀଙ୍କ ୩ଏକର ଜମିକୁ ନେଇ ଏହି ବିବାଦ ଦେଖାଦେଇଛି । ମହୀସୁର ଡେଭଲପମେଂଟ ଅଥରିଟି ପାର୍ବତୀଙ୍କଠୁ ୩ଏକର ଜମିର ବଦଳରେ ବହୁମୂଲ୍ୟ ଜମି ଦେଇଛି ।ଏହାଦ୍ବାରା ରାଜ୍ୟ ସରକାର କୋଟି କୋଟି ଟଙ୍କା କ୍ଷତି ସହିଥିବା ଅଭିଯୋଗ ହୋଇଛି । ସେପେଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ପ୍ରତିକ୍ରିୟାରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ମତରେ ରାଜଭବନ ଓ ରାଜ୍ୟପାଳ ଏଣିକି ବିଜେପି ହାତର କାଠକଣ୍ଢେଇ ସାଜିଛି ।
ଏଭଳି ସ୍ଥିତିରେ ସିଦ୍ଧରମୈୟା ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କୋର୍ଟରେ ଚ୍ୟାଲେଂଜ ଦେବା ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଜୁଲାଇରେ ରାଜଭବନ ତାଙ୍କୁ ଜବାବ ମାଗିଥିଲା ।ଏହାକୁ ବିରୋଧ କରି ରାଜ୍ୟ କ୍ୟାବିନେଟ ଏକ ସଂକଳ୍ପ ପାରିତ କରି ରାଜଭବନରୁ ଜାରି ନୋଟିସ ପ୍ରତ୍ୟାହାର କରିବାକୁ ଦାବି କରିଥିଲା
ରାଜ୍ୟପାଳଙ୍କ ଏଭଳି ପଦକ୍ଷେପ କଂଗ୍ରେସ ହାଇକମାଣ୍ଡ ସିଦ୍ଧରମୈୟାଙ୍କ ପଛରେ ପୂରା ଦଳକୁ ଛିଡା ହେବାକୁ ନିର୍ଦ୍ଦେଶ ଦେଇଛି ।ଏହା ବିରୋଧରେ ଦଳ ଆନ୍ଦୋଳନାତ୍କମ କାର୍ୟ୍ୟକ୍ରମ ଆରମ୍ଭ କରିଛି