କନକ ବ୍ୟୁରୋ : ଦାଆ କାରିଗରୀ ପାଇଁ କଟକ ନିଆଳି ବ୍ଲକ ଅନ୍ତର୍ଗତ ପହଙ୍ଗା ଅଂଚଳର ରହିଛି ସ୍ୱତନ୍ତ୍ର ପରିଚୟ । ଦାଆ ତିଆରିକୁ ଏକ କୁଟିର ଶିଳ୍ପ ଭାବେ ଗ୍ରହଣ କରିଛନ୍ତି ପହଙ୍ଗା ମେଥିବୁଦା ଗାଁର ୧୫ଟି କମାର ପରିବାର । ପିଢି ପରେ ପିଢି କୌଳିକ ବୃତିକୁ ଆପଣାଇ ସେମାନେ ତାଙ୍କର ପରିବାର ପ୍ରତିପୋଷଣ କରୁଛନ୍ତି । ଦାଆ ପ୍ରସ୍ତୁତ କରିବା ପାଇଁ କଂଚାମାଲ ରୂପେ ଲୁହା ପେଟିପାତ, ଦେବଦାରୁ କାଠ ସହିତ କୋଇଲାର ଆବଶ୍ୟକତା ପଡ଼ିଥାଏ । ଲୁହା ପେଟିପାତ କଲିକତାରୁ ଆଣିବାକୁ ପଡ଼ିଥାଏ । ଏବେ କଂଚାମାଲ ଓ ପ୍ରୋତ୍ସାହନ ଅଭାବରୁ ଏହି ବୃତି ଏବେ ବୁଡିବାକୁ ବସିଲାଣି । ଦାଆ ତିଆରି ପାଇଁ ପୂର୍ବରୁ ଗାଁରେ ୧୮ଟି ଶାଳ ଥିଲା । କିନ୍ତୁ କଂଚାମାଲ ଅଭାବରୁ ଚଳିତ ବର୍ଷ ୮ଟି ଶାଳ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି କାରିଗର ।

Advertisment

ପ୍ରଥମେ ଲୁହା ପାତକୁ ୧୨ ଇଂଚିର କାଟିବା ପରେ ନିଆଁରେ ଗରମ କରି ଏହାକୁ ବଙ୍କା କରାଯାଏ । ଏହା ପରେ ଫାଇଲ ସାହାଯ୍ୟରେ ଛୋଟ ସେଣି ଦ୍ୱାରା ଧାର କରାଯାଏ । ଅନ୍ୟପଟେ ଦେବଦାରୁ କାଠକୁ ଖଣ୍ଡ ଖଣ୍ଡ କରି ରଂଜା ମେସିନରେ ଗୋଲ ଗୋଲ କରି ବେଂଟ ତିଆରି କରାଯାଏ । ଏହା ପରେ ଦାଆ ପ୍ରସ୍ତୁତ କରି ଏହାକୁ ବିକ୍ରି ଉପଯୋଗୀ କରାଯାଏ । ଜଣେ ଜଣେ କାରିଗର ଦିନକୁ ୧୦୦ରୁ ଅଧିକା ଦାଆ ପ୍ରସ୍ତୁତ କରିପାରନ୍ତି । ବ୍ୟବସାୟୀ ମାନେ ଆସି କାରିଗରଙ୍କ ଘର ପାଖରୁ ଏହାକୁ କିଣି ନେଉଛନ୍ତି । ଦାଆ ଗୋଟାକୁ ୪୦ଟଙ୍କା ଦାମରେ କିଣି ବ୍ୟବସାୟ ନିଜ ଲାଭ ରଖି ଏହାକୁ ବିକ୍ରି କରନ୍ତି । ଉତମ ଧାର ଓ କମାର ଶାଳରେ ବିଭିନ୍ନ କୌଶଳରେ ଦାଆ ପାଣି ଦେବା ପ୍ରକ୍ରିୟା ଯୋଗୁଁ ଏହି ଦାଆ ସହଜରେ ଭାଙ୍ଗିନଥାଏ । ତେଣୁ ପହଙ୍ଗା ଅଂଚଳରେ ତିଆରି ହେଉଥିବା ଦଆର ଚାହିଦା ଅଧିକ ରହିଛି । ସୁଦୁର ନାଗପୁର ଓ କଲିକତା ଅଂଚଳରୁ କାରିଗର ମାନେ ଏଠାରୁ ଦାଆ କିଣି ନିଅନ୍ତି ।

ଦିନକୁ ଦିନ ଚାଷ କାମ ପାଇଁ ବିଭିନ୍ନ ମେସିନ୍ ବାହାରିଲାଣି ହେଲେ ଏବେ ବି ଲୋକେ ପାରମ୍ପାରିକ ପ୍ରଣାଳୀରେ ଚାଷ କାମ କରୁଛନ୍ତି । ତେଣୁ ଗାଁ ଗାଁରେ ଲୋକଙ୍କର ଦାଆର ଆବଶ୍ୟକତା ରହିଛି । ଚାଷୀଙ୍କୁ ଯେଉଁଭଳି ଭାବେ ସୁବିଧା ମିଳୁଛି କାରିଗରଙ୍କୁ ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି ।

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ଅପେକ୍ଷା ନିଜର କୌଳିକ ବୃତିକୁ ଆପଣାଇ ବେଶ ଖୁସିରେ ଅଛନ୍ତି ଏହି କାରିଗର ପରିବାର । ଆଗକୁ କଂଚାମାଲ ଓ ପ୍ରୋତ୍ସାହନ ମିଳିଲେ ଏହି ବୃତିକୁ ବଂଚାଇ ରଖିହେବ । ନହେଲେ କୌଳିକ ବୃତି ବୁଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି ।