ବିଧାୟକଙ୍କୁ ଜୋତା ଚିନ୍ତା ! ବର୍ଷା ପାଣିରେ କାଦୁଅ ହୋଇଯିବ ବୋଲି ରିଲିଫ କର୍ମୀଙ୍କ କାନ୍ଧରେ ବୋଟକୁ ଗଲେ

226

କନକ ବ୍ୟୁରୋ : ବିଧାୟକଙ୍କୁ ପିଠିରେ ବୋହିଲେ ଉଦ୍ଧାର କର୍ମୀ । ଆସାମରେ ବନ୍ୟା ସ୍ଥିତି ଜଳିଟ ହେବାରେ ଲାଗିଛି । ଏପରି ସ୍ଥିତିରେ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯାଇଥିବା ଲୁମଡିଙ୍ଗର ବିଧାୟକଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଲୁମଡିଙ୍ଗର ବିଜେପି ବିଧାୟକ ଶିବୁ ମିଶ୍ର ବନ୍ୟା ପ୍ରଭାବିତ ହୋଜାଇ ଅଞ୍ଚଳକୁ ସ୍ଥିତି ଅନୁଧ୍ୟାନ ପାଇଁ ଯାଇଥିଲେ । ରାସ୍ତାରେ ପାଣି ଚାଲୁଥିବାରୁ ପାଣିରେ ଚାଲି ଚାଲି ଯାଇନଥିଲେ ବିଧାୟକ । ଜଣେ ଉଦ୍ଧାରକର୍ମୀଙ୍କ ପିଠିରେ ଲଦି ହୋଇ ଏସଡିଆରଏଫ୍ ବୋଟ୍ ପର୍ଯ୍ୟନ୍ତ ଯାଇଥିଲେ ।

ବିଧାୟକଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି । କଂଗ୍ରେସ ମଧ୍ୟ ବିଧାୟକଙ୍କୁ ଟାର୍ଗେଟ୍ କରିଛି । କାଦୁଅରେ ଚାଲିଲେ ବିଧାୟକଙ୍କ ଦାମୀ ଜୋତା ଖରାପ ହୋଇଯାଇଥାନ୍ତା କହି କଂଗ୍ରେସ ବିଧାୟକ ଶିବୁ ମିଶ୍ରଙ୍କୁ ସମାଲୋଚନା କରିଛି । ଆସାମରେ ବନ୍ୟା ଯୋଗୁ ୨୯ଟି ଜିଲ୍ଲାରେ ସାଢେ ୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ପାଖାପାଖି ୫୦ ହଜାର ଲୋକଙ୍କୁ ରିଲିଫ୍ ଶିବିରକୁ ପଠାଯାଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହେଲାଣି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି ।