କନକ ବ୍ୟୁରୋ : ମଣିଷ ବଂଚିବ ସ୍ୱାଭିମାନ ସହ, ତାକୁ ସମସ୍ତେ ଗ୍ରହଣ କରନ୍ତି । ଏମିତି ଏକ ବାର୍ତା ଦେଇଛନ୍ତି ଗଂଜାମର ଶିବାନୀ ଜାନି । କଲେଜ ପଢୁଆ ଏହି ଝିଅ ବାପାଙ୍କୁ ସହଯୋଗ କରିବା ପାଇଁ ଜମିରେ ହଳ କରିଛି । ଏପରି ଏକ ସ୍ୱାଭିମାନୀ ଝିଅକୁ ଆଜ୍ ସ୍ୱାଭିମାନ ଦିବସରେ କରା ଯାଇଛି ସମ୍ମାନିତ ।
ହାତରେ ଲଙ୍ଗଳ ଧରି ସାରା ଓଡିଶାକୁ ଚମକାଇ ଦେଇଥିବା କଲେଜ ପଢୁଆ ଝିଅ ଶିବାନୀ ଜାନିଙ୍କୁ ସ୍ୱାଭିମାନ ଦିବସରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଏହି ସ୍ୱାଭିମାନୀ ଝିଅକୁ ସମ୍ମାନିତ କରିଛନ୍ତି ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ । ପରିବାର ଲୋକଙ୍କୁ ସହଯୋଗ କରିବା ପାଇଁ ଶିବାନୀ ଦେଖାଇଥିବା ସ୍ୱାଭିମାନ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ।
ଯୁକ୍ତ ୨ରେ ପଢୁଥିବା ଶିବାନୀ ଘରର ଆବଶ୍ୟକତାକୁ ଅନୁଭବ କରି ପାଦକାଢିଲେ । ବାପାଙ୍କ ସହ ମିଶି ଜମିର ମାଟି କାଦୁଅରେ ପଶି ଚାଷକାମ କରିଛନ୍ତି । ସାଧାରଣରେ ଆଜିକାଲିର ପିଲାଏ ପାଠ ପଢିଲେ ଜମି ହିଡ ମାଡୁ ନଥିବା ବେଳେ ସ୍ୱାଭିମାନର ସହ ବଂଚିବାକୁ ଶିଖାଇଛନ୍ତି ଶିବାନୀ । ପାଠ ପଢା ସହ ବାପାଙ୍କ ଚାଷ କାମରେ ବି ସହାୟତା କରିଛନ୍ତି । ତାଙ୍କର ଏହି କାମ ପାଇଁ ଝିଅ ଯେତେବେଳେ ସମ୍ମାନିତ ହେଉଥିଲେ ମଂଚ ଉପରେ ଭାବବିହ୍ୱଳ ହୋଇପଡୁଥିଲେ ତାଙ୍କ ବାପା । ଶିବାନୀର ପ୍ରଶଂସାରେ ସମସ୍ତେ ଶତମୁଖ ।
ଝିଅଟିକୁ ଜନ୍ମହେବା ମାତ୍ରେ କେତେକ ବାପାମାଆ ରାସ୍ତାକଡରେ ଫୋପାଡି ଦେଉଥିବା ନଜିର ଓଡିଶାରେ ବିରଳ ନୁହେଁ । ସେପରି ସ୍ଥାନରେ ଆଜି ଜଣେ ଝିଅ ନିଜ କାମ ପାଇଁ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛି ।