ହାଇକମାଣ୍ଡଙ୍କ ହାକିମାତି ଉପରେ ପ୍ରଶ୍ନ ଉଠାଇଲେ ଜି-୨୩ ନେତା । କପିଲ ଶିବଲ କହିଲେ, କରିପାରିବୁ ନାହିଁ ଜି ହଜୁର ।

157

କନକ ବ୍ୟୁରୋ : ପଞ୍ଜାବରୁ ଦିଲ୍ଲୀ ଯାଏଁ ସରଗରମ ହୋଇଛି ରାଜନୀତି । କଂଗ୍ରେସ ଶିବିରରୁ ଆରମ୍ଭ ହୋଇଥିବା ରାଜନୀତି ପହଞ୍ଚିଛି ବିଜେପି ପାୱାର କରିଡରରେ । ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା ଏବଂ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଭେଟିବା, ଏସବୁ ପୂରା ରାଜନୀତିକୁ ଉଷୁମ କରିଦେଇଛି । ଚର୍ଚ୍ଚା ହେଉଛି ହାତ ଛାଡି ପଦ୍ମ ଧରିପାରନ୍ତି ଅମରିନ୍ଦର । କ୍ୟାପଟେନଙ୍କ ନୂଆ ଇଂନିସ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଛି ।

ସେପଟେ ଜି-୨୩ ନେତା ମଧ୍ୟ କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରିଛନ୍ତି । ପଚାରିଛନ୍ତି, କଂଗ୍ରେସର ସଭାପତି କିଏ ? ଏହା ମଧ୍ୟ କହିଛନ୍ତି ଜି-ହଜୁର କହି ପାରିବୁ ନାହିଁ । ଏହାକୁ ନେଇ ହଟଚମଟ ସୃଷ୍ଟି ହୋଇଛି କଂଗ୍ରେସ ଶିବିରରେ । ଗାନ୍ଧୀ ପରିବାରର ଅନୁଗତମାନେ କପିଲ ଶିବଲଙ୍କୁ କଡ଼ା ସମାଲୋଚନା କରିଛନ୍ତି । ତେବେ ଗୋଟିଏ କଥା ସ୍ପଷ୍ଟ ହୋଇଛି, କଂଗ୍ରେସରେ କିଛି ଠିକ୍ ଚାଲିନାହିଁ । ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସିଯିବା ଭଳି ସ୍ଥିତି ସୃଷ୍ଟି ହୋଇଛି ।