ମଦ ମାଫିଆଙ୍କୁ ମାଂସ ଲାଂଚ ମାଗିବାର ଅଡିଓ ଭାଇରାଲ ପରେ ଏସଆଇ ନିଲମ୍ବିତ

5,437

କନକ ବ୍ୟୁରୋ : ନିଲମ୍ବିତ ହେଲେ ନାଉଗାଁ ପୋଲିସ ଏସଆଇ ବିବେକାନନ୍ଦ ସାହୁ । ମଦ ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ସୁରାଗ ପାଇବା ପରେ ଜଗତସିଂହପୁର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଏସଆଇ ବିବେକାନନ୍ଦ ସାହୁ ଜଣେ ମଦମାଫିଆଙ୍କ ସହ ଫୋନରେ କଥା ହେଉଥିବାର ଅଡିଓ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି । ଏହି ଫୋନ କଲରେ ସେ ମଦ ମାଫିଆଙ୍କୁ ଚିକେନ ମାଗୁଥିବା ବେଳେ ମଦ ମାଫିଆ ଜଣଙ୍କ ବାବୁଙ୍କ ପାଇଁ ମନପସନ୍ଦର ପିସ୍ ଆଣିଦେବାର ଆଶ୍ୱାସନା ଦେଉଥିବା ଜଣାପଡିଛି । ଏଭଳି ଅଡିଓ ଭାଇରାଲ ହୋଇଛି । ଅନ୍ୟପଟେ ଥାନା ଭିତରେ ଏସଆଇ ଜଣଙ୍କ ମଦ ପିଉଥିବାର ଫଟୋ ବି ଭାଇରାଲ ହେଉଛି । ଏସଆଇଙ୍କ ଏସବୁ କଳାକାରନାମା ପଦାରେ ପଡିବା ପରେ ଜଗତସିଂହପୁର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି ।
କହିରଖୁ କି ନାଉଗାଁ ଥାନାରେ କାମ କରୁଥିବା ଏସଆଇ ବିବେକାନନ୍ଦ ସାହୁଙ୍କ ନାମରେ ଆଗରୁ ଏଭଳି ଅଭିଯୋଗ ଆସୁଥିଲା । ପୋଲିସ ବାବୁ ହୋଇଥିବାରୁ ଏନେଇ ସିଧାସଳଖ କେହି ମୁହଁ ନଖୁଲୁଥିବା ବେଳେ ଏବେ ତାଙ୍କର କଳାକାରନାମା ହାଟରେ ପଡି ଦାଣ୍ଡରେ ଗଡୁଛି । ଅନ୍ୟପଟେ ଚୋରାମଦ କାରବାରକୁ ସାରା ରାଜ୍ୟରେ ବିରୋଧ କରାଯାଉଥିବା ବେଳେ ମଦ ମାଫିଆଙ୍କ ସହ ପୋଲିସର ଏଭଳି ସଂପର୍କକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି ।