କନକ ବ୍ୟୁରୋ: ଗିରଫ ହେଲେ ଭୁବନେଶ୍ୱର ସହିଦନଗର ଥାନାର ସବ ଇନସ୍ପେକ୍ଟର ପ୍ରିୟବ୍ରତ ପ୍ରଧାନ । ଲାଂଚ ନେବା ମାମଲା ପ୍ରିୟବ୍ରତଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଜଣେ ବ୍ୟକ୍ତିଙ୍କ ଠାରୁ ଜବତ ହୋଇଥିବା ଡ୍ରାଇଭିଂ ଲାଇସେନ୍ସକୁ ଫେରାଇବା ପାଇଁ ୫ହଜାର ଟଙ୍କା ମାଗିଥିଲେ ଏସଆଇ । ଥାନା ବାବୁଙ୍କୁ ପ୍ରଥମେ ୩ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ । ତେବେ ଡିଏଲ୍ ଫେରାଇବା ପାଇଁ ଆଉ ୨ହଜାର ଟଙ୍କା ମାଗିଥିଲେ ପ୍ରିୟବ୍ରତ ପ୍ରଧାନ । ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ ।

ପୋଲିସ ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ ଟିମ୍ । ଆଉ ଯୋଜନା ମୁତାବକ ୨ହଜାର ଟଙ୍କା ନେବା ବେଳେ ମାଡି ବସିଥିଲେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ । ଗିରଫ ପରେ କୋର୍ଟଙ୍କୁ ଚାଲାଣ ହେବେ ସହିଦନଗର ଥାନା ଏସଆଇ ।