ଛତିଶଗଡ ବିଜାପୁରରୁ ଅପହୃତ ପୋଲିସ ଏସଆଇଙ୍କୁ ହତ୍ୟା : ଅପହୃତ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ

305

କନକ ବ୍ୟୁରୋ : ମାଓବାଦୀମାନେ ଅପହରଣ କରିନେଇଥିବା ପୋଲିସ ଏସଆଇଙ୍କୁ ହତ୍ୟା କରିଛନ୍ତି । ଅପହୃତ ପୋଲିସ ଏସଆଇ ମୁରଲୀ ତାତିଙ୍କ ମୃତଦେହ ଛତିଶଗଡ କୁଷୁମପାର ଅଂଚଳରୁ ଉଦ୍ଧାର ହୋଇଛି । କିଛିଦିନ ତଳେ ତାଙ୍କୁ ଅପହରଣ କରିନେଇଥିଲା ଲାଲବାହୀନି ।

ଛତିଶଗଡ ବିଜାପୁରରେ ନରସଂହାର ପରେ ଯବାନ ରାକେଶ୍ୱର ସିଂ ମନହାସଙ୍କୁ ମାଓବାଦୀ ଅପହରଣ କରିନେଇଥିଲେ । ହେଲେ ବିନା ସର୍ତରେ ତାଙ୍କୁ ମୁକ୍ତ କରିବାର କେଇଦିନ ନପୂରୁଣୁ ଜଣେ ପୋଲିସ କର୍ମଚାରୀଙ୍କୁ ଉଠାଇ ନେଇଥିଲେ । ସେହି ଛତିଶଗଡ ବିଜାପୁର ପାଲନାର ଅଂଚଳରୁ ପୋଲିସ ଏସଆଇ ମୁରଲୀ ତାତିଙ୍କୁ ଅପହରଣ କରିନେଇଥିଲେ ନକ୍ସଲ ସଙ୍ଗଠନ । ଏବେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ପିଏଲଜିଏ ସଂଗଠନ ପକ୍ଷରୁ ପୋଲିସ ଏସଆଇଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି ।

ଉଲ୍ଲେଖଯୋଗ୍ୟ, ଗତ ୨୧ତାରିଖରେ ତାଙ୍କୁ ଅପହରଣ କରିନେଇଥିଲା ଲାଲବାହିନୀ । ଛୁଟିରେ ଘରକୁ ଯାଇଥିବା ଯବାନ ଜଣକ ଘଟଣା ଦିନ ଅପରାହ୍ଣରେ ଗାଁ ନିକଟରେ ଚାଲିଥିବା ମେଳା ଦେଖିବାକୁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହରଣ କରିନେଇଥିଲେ । ଚଳିତ ମାସରେ ମାଓବାଦୀଙ୍କ ଦ୍ବାରା ଏହା ଥିଲା ୨ୟ ଅପହରଣ । ଚଳିତ ମାସ ୩ ତାରିଖରେ ଛତିଶଗଡ଼ର ସୁକମା-ବିଜାପୁର ସୀମାରେ ମାଓବାଦୀମାନେ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରିବା ଫଳରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ଏହା ସହିତ ମାଓବାଦୀମାନେ କମାଣ୍ଡୋ ରାକେଶ୍ବର ସିଂ ମାନହାସଙ୍କୁ ଅପହରଣ କରିନେଇଥିଲେ । ତେବେ ଏପ୍ରିଲ ୮ରେ ତାଙ୍କୁ ମାଓବାଦୀମାନେ ମୁକ୍ତ କରିଦେଇଥିଲେ ।