୧ ଟଙ୍କାରେ ପେଟ ଫୁଲ୍ । ଟଙ୍କାକରେ ମିଳୁଛି ପେଟ ପୂରା ଖାଇବା । ‘ବାବା କା ଢାବା’ ପରେ ଏବେ ଚର୍ଚ୍ଚାରେ ‘ଶ୍ୟାମ ରୋଷେଇ’ । କରୋନା କାଳରେ କିଏ ଦେଉଛି ଶସ୍ତାରେ ସ୍ୱାଦିଷ୍ଟ ଖାଦ୍ୟ ?

1,216

କନକ ବ୍ୟୁରୋ: କେହି ରହିବେନି ଭୋକିଲା । ମୁଁ ଥାଉ ଥାଉ କେହି ଶୋଇବେନି ଉପାସ । କରୋନା କାଳରେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦେଖି ରହି ପାରିଲେନି ଏ ହୃଦୟବାନ ମଣିଷ । କରୋନା ପାଇଁ ଲୋକଙ୍କ ଜୀବନ ଜୀବିକା ବାଧା ପ୍ରାପ୍ତ ହୋଇଥିବାରୁ ବିନା ରୋଜଗାରରେ ଅନେକ ଲୋକ ଭୋକ ଉପାସରେ ବି ରହୁଛନ୍ତି । ତେଣୁ ସେମାନଙ୍କ ପେଟ କଥା ବୁଝିବାକୁ ଖାଦ୍ୟର ପସରା ଖୋଲି ଦେଇଛନ୍ତି ଆଉ ଅତି ଶସ୍ତାରେ ମାତ୍ର ୧ ଟଙ୍କାରେ ପେଟ ଭର୍ତ୍ତି ଖାଇବା ଦେଉଛନ୍ତି ଶ୍ୟାମ ରୋଷେଇର ମାଲି ପ୍ରବିଣ ଗୋଏଲ ।

ଦିଲ୍ଲୀ ନାଙ୍ଗଲୋଇ ଶିବ ମନ୍ଦିର ନିକଟରେ ରହୁଥିବା ପ୍ରବିଣ ଲୋକଙ୍କ ଭୋକିଲା ନରଖିବାର ମାନସିକତା ନେଇ ୧ ଟଙ୍କାରେ ଖାଦ୍ୟ ଦେଉଛନ୍ତି । ପିଲାଠୁ ବୁଢା ସମସ୍ତେ ଏଠାରେ ଆସି ପେଟପୂରା ଖାଉଛନ୍ତି । ଭାତ, ଡାଲି, ବିଭିନ୍ନ ତରକାରୀ, ପଲଉ, ହାଲୱା ସହ ଚପାତି ବି ଦେଉଛନ୍ତି ପ୍ରବିଣ । ଶସ୍ତା ଏବଂ ସୁନ୍ଦର ସହ ସୁସ୍ଥ ଖାଦ୍ୟ ମିଳୁଥିବାରୁ ଦିନକୁ ପ୍ରାୟ ହଜାରେ ଲୋକ ଆସୁଛନ୍ତି ।

ତେବେ ମାଗଣାରେ ଦେଲେ କାଳେ ଲୋକେ ଖାଦ୍ୟ ନଷ୍ଟ କରିବେ ତେଣୁ ସେ ମିଲ ପିଠା ୧ ଟଙ୍କା ନେଉଛନ୍ତି । ପ୍ରବିଣଙ୍କ ଏ ମହାନତା ଦେଖି ତାଙ୍କୁ ବିଭିନ୍ନ ଆଡୁ ସାହାଯ୍ୟ ମିଳୁଥିବା ବେଳେ ସେବା କରି ସେ ପରମ ସୁଖ ପାଉଥିବା କହିଛନ୍ତି । ଲୋକଙ୍କ ୧ ଟଙ୍କାରେ ଖାଦ୍ୟ ଦେଇ ଏବେ ସାରା ଦେଶରେ ଚର୍ଚ୍ଚାକୁ ଆସିଛି ଶ୍ୟାମ ରଷୋଇ ।