ସଟଡାଉନ୍ ହଟିଲା ସହର ଖୋଲିଲା: ସକାଳ ୫ରୁ ସନ୍ଧ୍ୟା ୬ ଯାଏ ଖୋଲା ରହିବ କଟକର ସମସ୍ତ ଦୋକାନ ବଜାର; କଟକଣା ମାନି ସପିଂ ମଲ ଖୋଲିବାକୁ ଅନୁମତି

ସନ୍ଧ୍ୟା ୭ରୁ ସକାଳ ୫ଯାଏ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ

140

କନକ ବ୍ୟୁରୋ: ପ୍ରାୟ ସପ୍ତାହେ ଯାଏ ବନ୍ଦ ରହିବା ପରେ ଆଜିଠାରୁ ସ୍ୱାଭାବିକ ହେବ କଟକ ସହର । ସିଲଭରସିଟିରୁ ସଟଡାଉନ୍ ହଟିବା ସହ ଆଜିଠାରୁ ଦୋକାନ ବଜାର ଖୋଲିବ । ତେବେ ଏଥିରେ ଟିକେ ପରିବର୍ତନ ହୋଇଛି । ବର୍ତମାନ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲିବାକୁ ନିଷ୍ପତି ହୋଇଛି ।

ତେବେ ବଡ କଥା ହେଉଛି ଯେ, ଆଜିଠାରୁ ସହରରେ ସପିଂ ମଲ ବି ଖୋଲିପାରିବ । ତେବେ କୋଭିଡ୍ ମାର୍ଗଦର୍ଶିକା ମାନିବାକୁ କଡାକଡି ନିର୍ଦେଶ ଦେଇଛି ସିଏମସି । ଏହାର ଉଲଂଘନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ମ୍ୟୁନିସପାଲ କମିଶନର ସ୍ପଷ୍ଟ କରିଛନ୍ତି । ସେହିପରି ଆଜିଠାରୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଗୁଡିକ କାର୍ଯ୍ୟ କରିବ । ସେପଟେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ସିଏମସି କମିଶନର ସ୍ପଷ୍ଟ କରିଛନ୍ତି ।

ହଟସ୍ପଟ୍ ଜିଲ୍ଲାରୁ ନୟାଗଡ ଆସିଲେ ସଙ୍ଗରୋଧ ବାଧ୍ୟତାମୂଳକ । ଆଜିଠାରୁ ଆପଣ ଯଦି କୌଣସି ହଟସ୍ପଟ ଜିଲ୍ଲାରୁ ନୟାଗଡରେ ପ୍ରବେଶ କରୁଛନ୍ତି ତେବେ ଆପଣଙ୍କୁ ୧୪ ଦିନିଆ ସରକାରୀ ସଙ୍ଗରୋଧରେ ରହିବାକୁ ପଡିବ । ଏନେଇ ଜିଲ୍ଲାପାଳ ପୋମା ଟୁଡୁ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଜିଲ୍ଲାକୁ ୭୨ ଘଂଟାରୁ କମ୍ ସମୟ ପାଇଁ କୌଣସି କାମରେ ଆସୁଥିଲେ ସରକାରୀ ସଙ୍ଗରୋଧ ବାଧ୍ୟତାମୂଳକ ନୁହେଁ ।