କନକ ବ୍ୟୁରୋ : ପୂରା ୨୪ ଘଣ୍ଟା ସଟ୍ଡାଉନ୍ ହୋଇଗଲା ରାଜଧାନୀ ଭୁବନେଶ୍ୱର । ଗାଡ଼ି ଗଡ଼ିଲାନି, କି ଲୋକଙ୍କ ଯିବାଆସିବା ବି ନାହିଁ । କାଁ ଭାଁ ହାତଗଣତି କିଛି ଅମାନିଆ ନିୟମ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା । ଯେଉଁ ସହର ରାତି ପାହିଲା ବେଳକୁ ଘୋ ଘୋ ଗର୍ଜନ କରୁଥାଏ, ସେ ସହର ପୂରା ଖାଁ ଖାଁ ହୋଇଯାଇଥିଲା । ଯେତିକି ଗଡୁଥିଲା, ଆମ୍ବୁଲାନ୍ସ, ପୁଲିସ ଗାଡ଼ି ଇତ୍ୟାଦି । ଅନୁରୂପ ପରିସ୍ଥତି ସୃଷ୍ଟି ହୋଇଥିଲା କଟକ ସହର ଓ ଭଦ୍ରକରେ ମଧ୍ୟ । ଏ ଦୁଇ ସହର ବି ପୂରା ବନ୍ଦ ହୋଇଯାଇଥିଲା । କେବଳ ଏହି ତିନିଟି ସହର ନୁହେଁ, ଗତକାଲି ରାତିରେ ପୁରୀ ଓ ଯାଜପୁରରେ କରୋନା ସଂକ୍ରମିତ ଚିହ୍ନଟ ପରେ ସେଠାରେ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର । ପିପିଲି ଦାନଗହୀର, ଜୟପୁର ଛକ ଓ ଜୟପୁର ଶାସନ ଛକ ସଂଲଗ୍ନ ଅଞ୍ଚଳକୁ ସଟ୍ଡାଉନ୍ ଘୋଷଣା କରାଯାଇଛି । ୪ ତାରିଖରୁ ୧୪ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସେ ଅଞ୍ଚଳରୁ ନା ଲୋକ ବାହାରକୁ ଆସିପାରିବେ ନା ସେ ଅଞ୍ଚଳକୁ କେହି ଯାଇପାରିବେ ନାହିଁ । ଲୋକଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଉପ ଜିଲ୍ଲାପାଳଙ୍କ ଟିମ୍ ଜରିଆରେ ଲୋକେ ପାଇପାରିବେ । ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ।
ଡିଜିପି କହିଲେ ସଟ୍ଡାଉନ୍ ସଫଳ ହୋଇଛି
କିଛି ଲୋକ କିନ୍ତୁ ମାନୁନାହାନ୍ତି ଲକ୍ଡାଉନ୍
୧୦ ଦିନରେ ୨୭୦୦ ମାମଲା, ୨୪୦୦ ଗିରଫ
୪୦୦୦ ଗାଡ଼ି ଜବତ କରିସାରିଲେଣି ପୁଲିସ
ଆଜି ପୁଲିସ ମହାନିର୍ଦେଶକ ଅଭୟ ନିଜେ ଗଣମାଧ୍ୟମକୁ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍ରେ ସଟ୍ଡାଉନ୍ ସଫଳ ହୋଇଛି । ଏହି ତିନି ସହରର ବାସିନ୍ଦାମାନେ ସଟ୍ଡାଉନ୍ ନିୟମକୁ ପାଳନ କରିଛନ୍ତି । ଏଥିଲାଗି ସହର ବାସିନ୍ଦା ଓ ଅକ୍ଳାନ୍ତ ପରିଶ୍ରମ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ ପୁଲିସ ମହାନିର୍ଦେଶକ । ସେହିଭଳି କରୋନା ମୁକାବିଲାର ଏକମାତ୍ର ବାଟ ସାମାଜିକ ଦୂରତ୍ୱ ହୋଇଥିବା ବେଳେ ଲକ୍ ଡାଉନ୍କୁ ସଫଳ କରିବା ପାଇଁ ପୁଲିସ ଦିନରାତି କାମ କରି ଚାଲିଛି ବୋଲି ସେ କହିଥିଲେ । ଗୀତଗୋବିନ୍ଦ ଭବନରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ କହିଥିଲେ ଯେ ଲକ୍ ଡାଉନ୍କୁ ୧୦ ଦିନ ବିତି ଯାଇଛି । ୯୦ ପ୍ରତିଶତ ଲୋକ ମାନୁଥିବା ବେଳେ ୧୦ ପ୍ରତିଶତ ଅମାନିଆ ହେଉଛନ୍ତି । ଅମାନିଆ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଗତ ୧୦ ଦିନ ଭିତରେ ରାଜ୍ୟର ବିଭିନ୍ନ ଥାନାରେ ଲକ ଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ୨୭୦୦ରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ୨୪୦୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ପ୍ରାୟ ୪ ହଜାରରୁ ଅଧିକ ଗାଡ଼ି ମଧ୍ୟ ଜବତ କରାଯାଇଛି । ଲକ୍ ଡାଉନ୍ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ୩ ତାରିଖ ସକାଳୁ ୪ତାରିଖ ସକାଳ ଭିତରେ ଲକ୍ ଡାଉନ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ୨୪୫ଟି ମାମଲା ରୁଜୁ ହୋଇଛି । ଗୃହ ସଂଗରୋଧ ଆଇନ ଭାଙ୍ଗିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି । ସେହିପରି କରୋନା ସଂକ୍ରାନ୍ତୀୟ ଆଉ ୧୨ଟି ମାମଲା ରୁଜୁ ହୋଇଛି । ଲକ୍ ଡାଉନ୍ ସମୟରେ ଘରେ ରହି ପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଜିପି ଅଭୟ । ଖରା, ବର୍ଷାରେ ଦିନରାତି କାର୍ଯ୍ୟ କରୁଥିବା ପୁଲିସ କର୍ମଚାରୀ, ଅଧିକାରୀ, ସବୁ ଜିଲ୍ଲାର ଏସ୍ପି, କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ କରୋନା ଚେନ୍ ଭାଙ୍ଗିବା ଲାଗି ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ ଭଦ୍ରକ ସହରକୁ ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରିଛନ୍ତି । ବିନା କୌଣସି ବିଶୃଙ୍ଖଳାରେ ଲୋକେ ସରକାରଙ୍କ ନିର୍ଦେଶକୁ ମାନି ଘରେ ରହିଯାଇଥିଲେ ଓ ବ୍ୟବସ୍ଥା ପୂରା ଅଟକିଯାଇଥିଲା । ସରକାର ଗତକାଲି ସଟଡାଉନକୁ କର୍ଫ୍ୟୁ ଭଳି ପରିସ୍ଥିତି ବୋଲି ଶୁକ୍ରବାର ସୂଚାଇଥିଲେ । ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହା ଲାଗୁ ରହିବ ।