କରୋନା ମୁକାବିଲା ପାଇଁ ସରକାରଙ୍କ ଫୋକସରେ ୩ ଜିଲ୍ଲା: ୬୦ ଘଂଟିଆ ସଟଡାଉନର ଦ୍ୱିତୀୟ ଦିନରେ ଭଦ୍ରକ, ବାଲେଶ୍ୱର ଓ ଯାଜପୁର; ଜୀବନଯାତ୍ରା ଠପ୍, ପୋଲିସର ପଇଁତରା

375

କନକ ବ୍ୟୁରୋ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିି ଯୋଗୁଁ ଓଡିଶାର ତିନି ଜିଲ୍ଲା ବାଲେଶ୍ୱର,ଭଦ୍ରକ ଓ ଯାଜପୁରରେ ଜାରି ହୋଇଛି ୬୦ଘଂଟିଆ ସଟଡାଉନ । ହାଟ ବଜାର ବନ୍ଦ କରି ଲୋକଙ୍କ ଗତିବିଧି ଉପରେ ରୋକ ଲାଗିଛି । ଆଉ ପୁଲିସର କଡା ପହରା ଭିତରେ ଘରକୁ ଘର ପହଁଚି କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ଗତିବିଧି ବନ୍ଦ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ପାଇଁ ପଶ୍ଚିମବଙ୍ଗ ଚିନ୍ତା ବଢାଇବା ପରେ ଓଡିଶା ଓ ପଶ୍ଚିମବଙ୍ଗର ସୀମାନ୍ତ ଜିଲ୍ଲା ବାଲେଶ୍ୱରରେ ଜାରି ହୋଇଛି ସଟ ଡାଉନ । ପଶ୍ଚିମବଙ୍ଗ-ଓଡିଶା ସୀମାକୁ ସିଲ କରାଯାଇଛି । ସହର ସାରା ପଇଁତରା ମାରୁଛି ପୁଲିସ । ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ ସେବାକୁ ବାଦ ଦେଇ ବାକି ସବୁ ଗତିବିଧି ଉପରେ ରୋକ ଲାଗିଛି । ଆଉ ଖାଁ ଖାଁ ସହରରେ ଆରମ୍ଭ ହୋଇଛି ସାନିଟାଇଜେସନ କାମ । ଆଉ ୬୦ଘଂଟାର ସଟଡାଉନ ଭିତରେ ଘରକୁ ଘର ପହଁଚି ସଂକ୍ରମିତ ଓ ସଂକ୍ରମିତଙ୍କ ସଂସତ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

କରୋନା ମୁକାବିଲା ପାଇଁ ଯାଜପୁରରେ ବି ଜାରି ହୋଇଛି ସଟଡାଉନ । ସାରା ସହରରେ ପଇଁତରା ମାରୁଛି ପୁଲିସ । ଯାଜପୁର ଦେଇ ଜାତୀୟ ରାଜପଥ ପଶ୍ଚିମବଙ୍ଗକୁ ଯାଉଥିବାରୁ ରାଜରାସ୍ତାରେ ଚାଲିଛି ଚ୍ୟାକିଂ । ଜାତୀୟ ରାଜପଥରେ ଯାଉଥିବା ଟ୍ରକ ଓ ମାଲବାହୀ ଗାଡିଗୁଡିକୁ ବି କଡାକଡି ଯାଁଚ କରାଯାଉଛି । ପୁରା ସହରକୁ ଶୂନସାନ କରି ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ ହୋଇଛି ।

ପୂର୍ବରୁ କରୋନା ମୁକାବିଲା ପାଇଁ ସଟ ଡାଉନ ଫର୍ମ୍ୟୁଲା ଭୁବନେଶ୍ୱରରେ ସଫଳ ହୋଇଥିବାରୁ ଏହି ପ୍ରକ୍ରିୟାକୁ ଆପଣେଇ ଏହି ତିନି ଜିଲ୍ଲାରେ ସ୍ଥତି ନିୟନ୍ତ୍ରଣ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ସଟଡଉନ ସମୟ ସୀମା ଭିତରେ ରାଜ୍ୟ ବାହରୁ ଫେରିଥିବା ଲୋକ ଓ କରୋନା ଆକ୍ରାନ୍ତଙ୍କ ଗସ୍ତବିବରଣୀ ସହ ସଂକ୍ରମିତଙ୍କ ସଂସ୍ପର୍ଶର ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଆହ୍ୱାନ ।