ଭୁବନେଶ୍ୱର ଭଳି ହେବ ୩ ଜିଲ୍ଲାରେ ସଟଡାଉନ । ଜରୁରୀ ମେଡିକାଲ ସେବା ସହ ଖୋଲା ରହିବ କିଛି ଔଷଧ ଦୋକାନ । ୬୦ ଘଣ୍ଟିଆ ସଟଡାଉନରେ କେହି ବାହାରକୁ ବାହାରି ପାରିବେନି । ଅମାନିଆ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

1,257

କନକ ବ୍ୟୁରୋ: ଭୁବନେଶ୍ୱର ଭଳି ସଟଡାଉନ ହେବ ୩ ଜିଲ୍ଲା । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ୬୦ ଘଣ୍ଟିଆ ସଟଡାଉନ ରାଜଧାନୀ ଭୁବନେଶ୍ୱର ଭଳି କରାଯିବ । କରୋନା ମୁକାବିଲା ପାଇଁ ଭୁବନେଶ୍ୱରରେ ଯେମିତି ବଡ ପଦକ୍ଷେପ ନିଆଯାଇଥିଲା ଠିକ ସେମିତି ଭାବେ ଏହି ୩ ଜିଲ୍ଲାରେ କଟକଣା ଲାଗୁହେବ ।

ତେବେ ସଟଡାଉନ ସମୟରେ ଜରୁରୀକାଳୀନ ସେବା ଯଥା ମେଡିକାଲ କାମ ଛଡା ଆଉ ଅନ୍ୟ କୌଣସି କାମରେ କେହି ବାହାରକୁ ବାହାରି ପାରିବେନି । କିଛି ଔଷଧ ଦୋକାନ ଖୋଲା ରହିବା ଛଡା ଆଉ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଗାଡି ଚଳାଚଳା ସହ ଆଉ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବେ । ତେବେ ସଟଡାଉନ ସମୟରେ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ । ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯିବ ।

ସେପଟେ ସଂକ୍ରମଣ ରୋକିବାକୁ ସବୁ ସରପଞ୍ଚମାନଙ୍କୁ ନିଜ ଅଞ୍ଚଳରୁ ସନ୍ଦିଗ୍ଧଙ୍କୁ ଖୋଜିବାକୁ କୁହାଯାଇଛି । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ସ୍ୱଇଚ୍ଛାରେ ଆସି ତଥ୍ୟ ଦେବାକୁ ସରକାର ଆହ୍ୱାନ ଦେଇଛନ୍ତି । ଯଦି କେହି ନଆସନ୍ତି ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ଗତ ୫ ଦିନରେ ୩ ଜିଲ୍ଲାର ପରିସ୍ଥିତି ଚିନ୍ତା ବଢାଇ ଦେଇଛି । ୩ ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ପାଇଁ ଚିନ୍ତା ଜନକ ସ୍ଥିତି ଆଣିଛି । ତେଣୁ ଏ ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସରକାର ସଟଡାଉନ କରିଛନ୍ତି । ପଶ୍ଚିମବଙ୍ଗରୁ ଆସିଥିବା ଆକ୍ରାନ୍ତ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ପରି ସଟଡାଉନ ହିଁ ଏକମାତ୍ର ବାଟ ତେଣୁ ୩ ଜିଲ୍ଲାରେ ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏଁ ୬୦ ଘଣ୍ଟିଆ ସଟଡାଉନ କରାଯାଇଛି ।

Comments are closed.