ସଟଡାଉନ ପାଇଁ ନବରଙ୍ଗପୁରରେ କ୍ଷୀର ବିକ୍ରି କରିପାରିଲେନି ଚାଷୀ । ସେପଟେ ଗାଁରେ ପଡ଼ିଲା ସହର ସଟଡାଉନର ପ୍ରଭାବ । 

177
କନକ ବ୍ୟୁରୋ: ନବରଙ୍ଗପୁରର କ୍ଷୀର ଚାଷୀଙ୍କ ଉପରେ ସଟଡ଼ାଉନ୍ ପ୍ରଭାବ ପଡ଼ିଛି  । ନିଜର ଉତ୍ପାଦିତ କ୍ଷୀର ବିକ୍ରି କରିନପାରି ହନ୍ତ ସନ୍ତ ହେଉଛନ୍ତି ନବରଙ୍ଗପୁରର ଝରିଗାଁ ଅଂଚଳର କ୍ଷୀର ଚାଷୀ । ସଂକ୍ରମଣକୁ ରୋକିବା ପାଇଁ ସରକାର କଟକଣା ଲାଗୁ କରୁଛନ୍ତି । ଆଉ ଏହା ଏବେ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଝରିଗାଁ ବ୍ଲକ ଧଡ଼୍ରା ଠାରେ ଥିବା ଶୀତଳିକରଣ କେନ୍ଦ୍ର ଉପରେ ନିର୍ଭର କରନ୍ତି ପୂର୍ଲା, କରାଗାଁ ଏବଂ ଧଡ଼୍ରା ଅଂଚଳର କ୍ଷୀର ଚାଷୀ ।
ପ୍ରତିଦିନ ଏଠାକୁ ୯ଶହ ୫୦ ଲଟର କ୍ଷୀର ଆସେ କିନ୍ତୁ ବର୍ତମାନ ଓମଫେଡ଼୍ ଚାଷୀଙ୍କ ଠାରୁ କ୍ଷୀର ଗ୍ରହଣ କରୁନାହିଁ । କ୍ଷୀରର ମାନ ଖରାପ ଦର୍ଶାଇ ଫେରାଇ ଦେଉଛି ସଂସ୍ଥା । ଅନ୍ୟପଟେ ଚାଷୀଙ୍କ ଅଭିଯୋଗ ହେଲା ସୁପର ଭାଇଜର କିଛି ଦୁଗ୍ଧ ବେପାରୀଙ୍କ ଠାରୁ ଦୁଗ୍ଧ ରଖୁଛନ୍ତି । ନିଜର ଟାର୍ଗେଟ ପୁରଣ ହୋଇଗଲେ ଚାଷୀଙ୍କ ଦୁଗ୍ଧ ଫେରାଇ ଦେଉଛନ୍ତି । ଠିକ ସମୟରେ ଟଙ୍କା ପାଉନଥିବା ମଧ୍ୟ ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳ ଓ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି ଚାଷୀ ।
ସେପଟେ ରାଜ୍ୟର ସବୁ ସହର ଦିନରେ ଶୋଇଛି । କାରଣ ସୋମବାର ସକାଳ ଯାଏଁ ସଟଡାଉନ୍ କଟକଣା ଜାରି ରହିଛି । ଶନିବାର ଓ ରବିବାର ରାଜ୍ୟର ସବୁ ସହରାଂଚଳରେ ସଟଡାଉନର ନିୟମ ଲାଗୁ ରହିଛି । ଏହାରି ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଛି ପୋଲିସର କଡା ଚେକିଂର ଦୃଶ୍ୟ । କଟକ, ଭୁବନେଶ୍ୱର, ପୁୁରୀ, ଯାଜପୁର, ବାଲେଶ୍ୱର ଓ ମାଲକାନଗିରିରେ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଯାଂଚ କରାଯାଉଥିବାର ଚିତ୍ର ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରରେ ସଟଡାଉନ ସମୟରେ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ରହିଛି ।
ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି । ତାଲାବନ୍ଦ ସମୟରେ ରାଜଧାନୀ ବାସୀ ନିୟମ ମାନି ଚଳୁଛନ୍ତି । ଆଗକୁ ଏପରି ସହଯୋଗ ଜାରି ରଖିବାକୁ ଅପିଲ କରିଛନ୍ତି ସିପି । ସେପଟେ ଗଞ୍ଜାମ, ଢେଙ୍କାନାଳ, ସୁନ୍ଦରଗଡ଼, ନବରଙ୍ଗପୁର, ଜଗତସିଂପୁର ଜିଲ୍ଲାର ବିଭିନ୍ନ ସହରାଂଚଳରୁ ମଧ୍ୟ ସପ୍ତାହାନ୍ତ ସଟଡାଉନର ପ୍ରଥମ ଦିନରେ କଡ଼ାକଡ଼ି ଭାବରେ ପାଳନ କରାଯାଇଛି ।