କନକ ବ୍ୟୁରୋ: କରୋନା କାଳରେ ପେଟପାଟଣା ଚିନ୍ତା  । ବ୍ୟବସାୟ ବଣିଜ ବନ୍ଦ ହୋଇପଡ଼ିଛି  । ଏହି ସମୟରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ବଡ଼ କଥା  । ଆଉ  ଏହା କରି ଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଘୋଡ଼ାଘାଟପଡ଼ାର ଶୁକ୍ଳାମ୍ବର ପାଣିଗ୍ରାହୀ  । ଛୋଟ ପାନ ଦୋକାନ, ପରେ ଓମଫେଡ ପାର୍ଲର ଏବଂ ଏବେ ବେକେରୀ ଫାର୍ମ କରି ମାସକୁ ୫ ଲକ୍ଷ ଟଙ୍କାର ଆୟ କରୁଛନ୍ତି  । ବିଭିନ୍ନ ପ୍ରକାର ପାଉଁରୁଟି ସହ କେକ୍ ତିଆରି କରି ଜିଲ୍ଲାର ବିଭିନ୍ନ ଜାଗା ତଥା ଜିଲ୍ଳା ବାହାରକୁ ପଠାଉଛନ୍ତି ଶୁକ୍ଲାମ୍ବର ।

Advertisment

ଶୁକ୍ଳାମ୍ବରଙ୍କ ଏକ ଛୋଟ ପାନ ଦୋକାନରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ଏକ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରିଛି  । ଚାହିଦାକୁ ଦେଖି ଅଂଚଳରେ ଏକ ବେକେରୀ ଫାର୍ମ କରିବାକୁ ସ୍ଥିର କରିଥିଲେ ଶୁକ୍ଳାମ୍ବର  । ପିଏମଇଜିପି ଯୋଜନାରେ ଆବେଦନ କରି ୨୫ ଲକ୍ଷ ଟଙ୍କାର ଋଣ ନେଇଥିଲେ  । ଏବେ ବେକେରୀ ଫାର୍ମରୁ ମାସକୁ ୫ ଲକ୍ଷ ଟଙ୍କାର ଆୟ ହେଉଛି  । ନିଜେ ସ୍ୱାବଲମ୍ବୀ ହେବା ସହ ସ୍ଥାନୀୟ କିଛି ଯୁବକଙ୍କୁ ମଧ୍ୟ ଅର୍ଥ ଉପାର୍ଜନର ବାଟ ଦେଖାଇଛନ୍ତି ଶୁକ୍ଳାମ୍ବର  । ଏବେ ତାଙ୍କ ଫାର୍ମରେ ୧୭ ଜଣ କାମ କରୁଛନ୍ତି  । ଶୁକ୍ଳାମ୍ବର ପରିଶ୍ରମ, ଅଧ୍ୟବସାୟ ଓ ଦୃଢ଼ ମନୋବଳ ଯୋଗୁଁ ଏହି ବେକେରୀ ଫାର୍ମରେ ସଫଳତା ପାଇଛନ୍ତି  । ଏବେ ସ୍ଥାନୀୟ ଅଂଚଳରେ ଏହା ପ୍ରଶଂସା ସାଉଁଟୁଛି  ।